କେନ୍ଦୁଝର: କେନ୍ଦୁଝର ପୋଲିସର ବର୍ବୋରୋଚିତ କାଣ୍ଡ। ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହକୁ ନେଇ ସ୍ଵାମୀକୁ ଥାନାକୁ ଉଠାଇ ନେଇ କଲେ ଥାର୍ଡ଼ ଡିଗ୍ରୀ ଟର୍ଚର। ସ୍ଵାମୀ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡି ଅସହ୍ୟ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ଆଉ ଏବେ ନ୍ୟାୟ ଅପେକ୍ଷାରେ ସ୍ଵାମୀ ଏବଂ ସ୍ତ୍ରୀ । ହେଲେ ରକ୍ଷକ ଯଦି ଭକ୍ଷକ ସାଜିବ ତେବେ ତାଙ୍କୁ ନ୍ୟାୟ ଦେବ କିଏ ?
କେନ୍ଦୁଝର ଜିଲ୍ଲା, ବିରିକଳା ପଞ୍ଚାୟତ, ମୋଟୁଦା ଗାଁର ଅମିତ୍ କୁମାର ସେଠୀ ନାମକ ଜଣେ ଯୁବକକୁ ବିଲେଇପଦା ପୋଲିସ୍ ବିଟ୍ ହାଉସରେ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଯୋଡ଼ା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିବା ମାଡ଼ ଚିହ୍ନ ପୋଲିସର ନିର୍ଯ୍ୟାତନା କଥା ବୟାନ କରୁଛି ।
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଅମିତଙ୍କ ସହ ତାଙ୍କ ସ୍ତ୍ରୀ ସୁପ୍ରିୟାଙ୍କ ସହ ଝଗଡା ହୋଇଥିଲା। ଏହାକୁ ନେଇ ସ୍ତ୍ରୀ ସୁପ୍ରିୟା ବିଲେଇପଦା ପୋଲିସ୍ ବିଟ୍ ହାଉସର ଦ୍ବାରସ୍ଥ ହୋଇଥିଲେ । ସେ ଭାବିଥିଲେ ଯେ ଘଟଣା ସମାଧାନ ହୋଇଯିବ । ପୋଲିସ୍ ବୁଝାସୁଝା କରି ତାଙ୍କ ସ୍ବାମୀଙ୍କୁ ଛାଡ଼ିଦେବ । ତେବେ ସେଠାରେ ନିୟୋଜିତ ଥିବା ଜଣେ ପୋଲିସ କର୍ମଚାରୀ ଅମିତଙ୍କୁ ଡକାଇ ପ୍ରଥମେ ବୁଝାସୁଝା କରିବା ପରେ ଭିତରକୁ ଡ଼ାକିନେଇ ଏକ ପାଇପରେ ନିସ୍ତୁକ ମାଡ ମାରିଥିଲେ ବୋଲି ଉଭୟ ଅମିତ୍ ଏବଂ ତାଙ୍କ ପତ୍ନୀ ସୁପ୍ରିୟା ଅଭିଯୋଗ କରିଛନ୍ତି।
ଏବେ ଅମିତଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କର ହାତ, ଗୋଡ଼ ଓ ଶରୀର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ମାଡ ସଂମ୍ପର୍କରେ କାହାରି ଆଗରେ ପ୍ରକାଶ ନକରିବାକୁ ମଧ୍ୟ ପୋଲିସ ବାବୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କେହି ମୁହଁ ଖୋଲିବାକୁ ନାରାଜ।