ଫିଲ୍ମ ଷ୍ଟାଇଲରେ ଚୋରି, ଛାତ କଣା କରି ଲୁଟିନେଲେ ୨୫ କୋଟିର ଅଳଙ୍କାର
26/09/2023 at 4:40 PM

ନୂଆଦିଲ୍ଲୀ: ଫିଲ୍ମ ଷ୍ଟାଇଲରେ ଜୁଏଲାରରୁ ଲୁଟ୍। ଛାତ କଣା କରି ପଶିଲେ… ଆଉ ବୁଲାଇଲେ କଳାକନା… ସଫା କରିନେଲେ ଶୋରୁମ୍ରୁ ସବୁ ଅଳଙ୍କାର। ଏଭଳି ଏକ ଚାଞ୍ଚଲ୍ୟକର ଚୋରି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ କୋଟିରେ ରହିଛି।
ଦିଲ୍ଲୀର ଭୋଗଲ ଅଞ୍ଚଳରେ ଉମରାଓ ଜୁଏଲାରୀରେ ରବିବାର ବିଳମ୍ବିତ ରାତିରେ ୨୫ କୋଟିର ଚୋରି ହୋଇଛି। ଚୋର ଶୋରୁମ୍ର କାନ୍ଥ ଏବଂ ଖୋଳି ଶୋରୁମ୍ର ଷ୍ଟ୍ରଙ୍ଗ୍ ରୁମ୍ରେ ପଶିଥିଲେ। ଶୋରୁମ୍ ମାଲିକଙ୍କ ଅନୁଯାୟୀ ପ୍ରାୟ ୨୦ରୁ ୨୫ କୋଟିର ଚୋରି ହୋଇଛି। ରବିବାର ଦୋକାନ ବନ୍ଦ କରି ଯିବାବେଳେ ସବୁକିଛି ଠିକ୍ ଥିଲା। ସୋମବାର ଛୁଟି ଥାଏ।
ଆହୁରି ପଢ଼ନ୍ତୁ: ୨୦୧୩ରୁ ଏବେ ସୁଦ୍ଧା ଚୋରି ହୋଇଛି ୩୧ ପ୍ରାଚୀନ ସାମଗ୍ରୀ: ସଂସଦରେ ଉତ୍ତର ରଖିଲେ ସରକାର
ମଙ୍ଗଳବାର ସକାଳେ ଯେତେବେଳେ ଶୋରୁମ୍ ଖୋଲାଯାଇଥିଲା, ସେତେବେଳେ ଶୋରୁମ୍ର ଅବସ୍ଥା ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଶୋରୁମ୍ର ଷ୍ଟ୍ରଙ୍ଗ୍ ରୁମ୍ ପାଖରେ ଏକ ବଡ଼ ଛିଦ୍ର ହୋଇଥିଲା। ଛାତ ଏବଂ କାନ୍ଥ କଣା କରିବା ପରେ ଚୋର ଭିତରକୁ ପଶିଥିଲେ। ଅତି ଚତୁରତାର ସହ ଏହି ଚୋରମାନେ ଶୋରୁମ୍ରୁ ସୁନା-ଚାନ୍ଦି ସବୁ ଲୁଟ୍ କରିଥିଲେ।
ତେବେ ବର୍ତ୍ତମାନ ନିଜାମୁଦ୍ଦିନ୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଶୋରୁମ୍ର ସିସିଟିଭି କ୍ୟାମେରା ରେକର୍ଡିଂ ଯାଞ୍ଚ କରାଯାଉଛି। । ଏହା ସହ ଆଖ ପାଖର ଲୋକ ଏବଂ ଶୋରୁମ୍ ଷ୍ଟାଫ୍ଙ୍କ ମଧ୍ୟ ପଚରାଉଚରା କରାଯାଉଛି।