ଜାଲ ପକାଇ ମାଛ ଧରୁଥିଲା ଚୋର, ହଠାତ୍ ଝାମ୍ପିବାକୁ ଚାଲିଆସିଲା ବିଲେଇ: CCTVରେ କଏଦ ହେଲା କାରନାମା

Published By : Prameya-News7 Bureau | June 25, 2022 IST

ଭଦ୍ରକ ୨୫/୦୬: ଲୋଭ ପାଇଁ ସିସିଟିଭି ନଜରକୁ ଆସିଲା ମାଛ ଚୋର । ଗଢିଆରୁ ମାଛ ଚୋରି କରିବା ପାଇଁ ଯାଇଥିବା ବେଳେ ମାଛକୁ ନେଇଯିବାକୁ ଚେଷ୍ଟା କରିଚି ବିଲେଇ । ଆଉ ବିଲେଇକୁ ଗୋଡ଼ାଇବା ପାଇଁ ଯାଇ ସିସିଟିଭି ସର୍ଭିଲାନ୍ସ ଏରିଆକୁ ଆସିଯାଇଛି ଚୋର । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଲିକଣା ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଆକୁଲିକଣା ଗାଁର ଧୀରେନ୍ଦ୍ର ସାମଲଙ୍କ ଫାର୍ମ ହାଉସ ପୋଖରୀରୁ କେହି ଚୋର ମାଛ ଚୋରି କରୁଥିବା ଅନୁମାନ କରୁଥିଲେ । କିନ୍ତୁ ଏବେ ଚୋରି ବେଳେ ବିଲେଇ ପାଇଁ ମାଛ ଚୋର ସିସିଟିଭିରେ କଏଦ ହେବାପରେ ଏହାକୁ ନେଇ ଚର୍ଚ୍ଚା ଖେଳିଯାଇଛି । ବିଳମ୍ବିତ ରାତିରେ କେହି ଚୋର ପୋଖରୀରେ ଜାଲ ପକାଇ ମାଛ ଧରିଥିଲା । ଚୋର ମାଛକୁ ଧରି ପୋଖରୀ ଆଡ଼ି ଉପରେ ରଖିଥିଲା ।

ଏହି ସମୟରେ ଏକ ବିରାଡ଼ି ମାଛକୁ ଝାମ୍ପିବାକୁ ଆସିଥିବା ବେଳେ ଚୋର ଜଣକ ଏହାକୁ ଘଉଡାଇବାକୁ ଆସି ସିସିଟିଭି ନଜରକୁ ଆସିଥିଲେ । ଚୋରଟି ମାଛ ଆଣିବା ସହିତ ଫାର୍ମ ହାଉସରେ ଥିବା କଦଳୀ ଓ ଅମୃତଭଣ୍ଡାକୁ ମଧ୍ୟ ଚୋରି କରି ଆଣିଥିଲା । ସିସିଟିଭି ଭିଡ଼ିଓ ଆଧାରରେ ପୋଖରୀ ମାଲିକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଉକ୍ତ ଘଟଣାରେ ଏକରୁ ଅଧିକ ଚୋର ସାମିଲ ଥାଇପାରନ୍ତି ବୋଲି ଅଭିଯୋଗରେ ଲେଖାଯାଇଛି । ପୋଲିସ ପକ୍ଷରୁ ସମସ୍ତ ଘଟଣାକୁ ଅନୁଧ୍ୟାନ କରାଯିବା ସହ ଭିଡ଼ିଓକୁ ଆଧାର କରି ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଜନୈକ ଯୁବକଙ୍କୁ ପଚରା ଉଚୁରା କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.