‘ପାକିସ୍ତାନର ବୀରତା ପୁରସ୍କାର ଦିଆଯିବା ଦରକାର...’, ହେଡ୍‌ଲୀକୁ କହିଥିଲା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର

Published By : Prameya-News7 Bureau | April 11, 2025 IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇଛି । ପ୍ରତ୍ୟର୍ପଣର ଗୋଟିଏ ଦିନ ପରେ ଆମେରିକୀୟ ନ୍ୟାୟ ବିଭାଗ (ଡିଓଜେ) ଏକ ବଡ଼ ଖୁଲାସା କରିଛି । ଡିଓକେ କହିଛି ଯେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ପରେ ରାଣା ମୃତ ୯ ଲସ୍କର ଆତଙ୍କବାଦୀଙ୍କୁ ‘ନିଶାନ-ଏ-ହୈଦର’ ଦିଆଯିବା ଦରକାର ବୋଲି ଡେଭିଡ୍ କୋଲମ୍ୟାନ ହେଡ୍‌ଲୀକୁ କହିଥିଲା । ଉଲ୍ଲେଖଯୋଗ୍ୟ ଯେ ‘ନିଶାନ-ଏ-ହୈଦର’ ଯୁଦ୍ଧରେ ବୀରତା ପାଇଁ ପାକିସ୍ତାନର ସର୍ବୋଚ୍ଚ ପୁରସ୍କାର, ଯାହା ସହିଦ ସୈନିକଙ୍କୁ ଦିଆଯାଇଥାଏ । ଆମେରିକା ନ୍ୟାୟ ବିଭାଗର ବୟାନରେ ଏହା ମଧ୍ୟ କୁହାଯାଇଛି ଯେ ଆକ୍ରମଣ ପରେ ହେଡଲୀକୁ ରାଣା କହିଥିଲା ଯେ ଭାରତୀୟଙ୍କ ସହ ଏପରି ହିଁ ହେବା ଦରକାର ।

୨୬/୧୧ ମୁମ୍ୱାଇ ଆକ୍ରମଣର ପ୍ରାୟ ୧୬ ବର୍ଷ ପରେ ଗୁରୁବାର ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା । ଏହାପରେ ଏନଆଇଏ୍ ତାକୁ ଗିରଫ କରିଥିଲା । ଦିଲ୍ଲୀର ଏକ କୋର୍ଟରେ ହାଜର କରାଯିବା ପରେ ଏନ୍‌ଆଇଏ ୨୦ ଦିନ ରିମାଣ୍ଡ ମାଗିଥିଲା କିନ୍ତୁ କୋର୍ଟ ୧୮ ଦିନ ରିମାଣ୍ଡକୁ ମଞ୍ଜୁରି କରିଥିଲେ ।

ଆତଙ୍କୀ ତହବୁର ରାଣା ପାକିସ୍ତାନ ସେନାର ମେଡିକାଲ୍ କୌରରେ କାମ କରୁଥିଲା । ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିଥିବା ଅଭିଯୋଗ ରହିଛି । ମୁମ୍ୱାଇ ଆକ୍ରମଣର ୧୧ ମାସ ପରେ ୨୦୦୯ ଅକ୍ଟୋବରରେ ଚିକାଗୋରେ ତାକୁ ଗିରଫ କରାଯାଇଥିଲା । ରାଣା ବିରୋଧରେ ଭାରତରେ ଷଡଯନ୍ତ୍ର, ହତ୍ୟା, ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ପରି ଅଭିଯୋଗ ରହିଛି ।

ଆମେରିକା ନ୍ୟାୟ ବିଭାଗ ବୟାନରେ ଲେଖିଛି, ରାଣା କଥିତ ରୂପେ ନିଜ ଇମିଗ୍ରେସନ ବ୍ୟବସାୟର ମୁମ୍ୱାଇ ଶାଖା ଖୋଲିବା ଓ ହେଡଲୀକୁ କାର୍ଯ୍ୟାଳୟ ମୁଖ୍ୟ ନିଯୁକ୍ତ କରିବା ଉପରେ ସହମତି ବକ୍ୟ କରିଥିଲା । ଅନ୍ୟପଟେ ହେଡଲୀ ପାଖରେ ଇମିଗ୍ରେସନର କୌଣସି ଅନୁଭବ ନଥିଲା । ଦୁଇଟି ଭିନ୍ନ ଭିନ୍ନ ଅବସରରେ ରାଣା କଥିତ ରୂପେ ହେଡଲୀକୁ ଭାରତୀୟ ଅଧିକାରୀଙ୍କ ସାମନାରେ ଭିସା ଆବେଦନ ପାଇଁ ସହଯୋଗ କରିଥିଲା । 

ଡିଓଜେ ଆହୁରି କହିଛି ଯେ ଦୁଇ ବର୍ଷରୁ ଅଧିକ ସମୟ ଯାଏ ହେଡଲୀ ଚିକାଗୋରେ ରାଣାକୁ ସହ ଲଗାତାର ଭେଟୁଥିଲା । ଲସ୍କର ପାଇଁ ନୀରିକ୍ଷଣ ଗତିବିଧି, ହେଡଲୀର ଗତିବିଧି ଉପରେ ଲସ୍କରର ପ୍ରତିକ୍ରିୟା ଓ ମୁମ୍ୱାଇ ଉପରେ ଆକ୍ରମଣ କରିବାର ସମ୍ଭାବିତ ଯୋଜନା ଉପରେ ଅବଗତ କରାଉଥିଲା । ଆମେରିକା ନ୍ୟାୟ ବିଭାଗ ରାଣାର ପ୍ରତ୍ୟର୍ପଣକୁ ଛଅ ଆମେରିକୀୟ ଓ ଅନ୍ୟ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.