ନୂଆଦିଲ୍ଲୀ, ୧୧/୦୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ଗୁରୁବାର ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଇମରାନଙ୍କ ଗିରଫଦାରୀଙ୍କୁ ଅବୈଧ ବୋଲି ଦର୍ଶାଇ ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଆଉ ସୁପ୍ରିମକୋର୍ଟରୁ ଖଲାସ ଆଦେଶ ପରେ ଇମରାନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଲାଠିରେ ପିଟା ଯାଇଛି ଏବଂ ତାଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଛି। ଏହାସହ ଇମରାନ ପୁଣି ଥରେ ପାକିସ୍ତାନରେ ଖୁବ୍ଶୀଘ୍ର ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି। ତେବେ ଖଲାସ ପରେ ଇମରାନଙ୍କୁ କୋର୍ଟରୁ ପୋଲିସ୍ ଲାଇନ ଗେଷ୍ଟ ହାଉସ ଅଣାଯାଇଛି। ଏଠାରୁ ତାଙ୍କୁ ଶୁକ୍ରବାର ଇମରାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର ପାଇଁ ନିଆଯିବ।
ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଇମରାନ କହିଛନ୍ତି ‘‘ହତ୍ୟାକାରୀଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରାଯାଏ ନାହିଁ। ମୋତେ ଏଭଳି ଭାବରେ ଧରାଗଲା ଯେପରି ମୁଁ ଏକ ଆତଙ୍କବାଦୀ। ମୋ ନାଁରେ ୧୪୫ଟି କେସ୍ କରାଯାଇଛି।’’ ତେବେ ଇମରାନ ଖାନ୍ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଦେଶକୁ କୌଣସି ହାନି ନ ପହଞ୍ଚିବା ଦରକାର। ଆମେ କେବଳ ନିର୍ବାଚନ ଚାହୁଛୁ।
ସୂଚନାଯୋଗ୍ୟ, ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଇମରାନଙ୍କ ଗିରଫକୁ ନେଇ କଡ଼ା ଟିପ୍ପଣୀ କରିଥିଲେ ଏବଂ ଇମରାନଙ୍କୁ ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ କହିଥିଲେ। ଇମରାନଙ୍କୁ ଯେଉଁଭଳି ଭାବରେ କୋର୍ଟ ପରିସରରୁ ଗିରଫ କରାଯାଇଥିଲା ତାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।
୭୦ ବର୍ଷୀୟ ଇମରାନ୍ ଖାନ୍ଙ୍କୁ ରାଷ୍ଟ୍ରୀୟ ଉତ୍ତରଦାୟିତ୍ବ ବ୍ୟୁରୋ (ଏନଏବି)ର ଆଦେଶରେ ଏକ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ଦେଶର ଅର୍ଦ୍ଦସୈନିକ ରେଞ୍ଜର୍ସ ଇସଲାମାବାଦ ହାଇକୋର୍ଟ ପରିସରରୁ ବୁଧବାର ଇମ୍ରାନଙ୍କୁ ଗିରଫ କରିଥିଲେ। ଖାନଙ୍କୁ ଗିରଫ କରିବା ପାଇଁ ପ୍ରାୟ ୯୦ରୁ ୧୦୦ ରେଞ୍ଜର୍ସ କର୍ମୀ ଅଦାଲତରେ ପ୍ରବେଶ କରିବାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ୯୦ ଜଣ ଏହାର ପରିସରରେ ପଶିବେ ତେବେ ଏହାର ମର୍ଯ୍ୟାଦା କେମିତି ରହିବ ? କେହି ବ୍ୟକ୍ତିଙ୍କୁ ଅଦାଲତ ପରିସରରୁ କିଭଳି ଗିରଫ କରାଯାଇପାରିବ ?