ଫେକ୍ ନ୍ୟୁଜ୍ ଉପରେ ପୁଣି ଏକ ଆକ୍ରମଣ, ହଟିବ ‘ଆଜତକ୍ ଲାଇଭ’ ସମେତ ୩ ୟୁ ଟ୍ୟୁବ୍ ଚ୍ୟାନେଲ
21/12/2022 at 2:56 PM

ନୂଆଦିଲ୍ଲୀ ୨୧।୧୨: କେନ୍ଦ୍ର ସରକାର ଫେକ୍ ନ୍ୟୁଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ୟୁ ଟ୍ୟୁବ୍ରେ ୩ ଚ୍ୟାନେଲ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁ ଟ୍ୟୁବ୍ରେ ୩ ଚ୍ୟାନେଲ ‘ଆଜତକ୍ ଲାଇଭ’, ‘ନ୍ୟୁଜ୍ ହେଡଲାଇନସ୍ ’ ଓ ‘ସରକାରୀ ଅପଡେଟସ୍’କୁ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ୟୁ ଟ୍ୟୁବ୍ ଚ୍ୟାନେଲଙ୍କୁ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ମିଥ୍ୟା ଖବର ରଟେଇବା ଲାଗି ଦାୟୀ କରିଛନ୍ତି।
ଗତ ସେପ୍ଟେମ୍ବର ମାସରେ ଧାର୍ମିକ ସମ୍ପ୍ରଦାୟ ବିରୋଧରେ ଘୃଣା ବ୍ୟାପ୍ତ କରିବା ପାଇଁ କଣ୍ଟେଣ୍ଟ ମାଲପ୍ରାକ୍ଟିସ୍ କରି ମିଥ୍ୟା ଖବର ପ୍ରସାରଣ ନିମନ୍ତେ ୧୦ ୟୁ ଟ୍ୟୁବ୍ ଚ୍ୟାନେଲ ବିରୋଧରେ ପ୍ରତିବନ୍ଧକ ଜାରି ଲାଗି ଆଦେଶ ଦିଆଯାଇଥିଲା। ଗୁଇନ୍ଦା ଏଜେନ୍ସୀଙ୍କ ସୂତ୍ରରୁ ପ୍ରାପ୍ତ ଇନପୁଟ୍ରେ ୧୦ ୟୁ ଟ୍ୟୁବ୍ ଚ୍ୟାନେଲଙ୍କ ୪୫ ଭିଡିଓକୁ ବ୍ଲକ୍ କରିଦିଆଯାଇଥିଲା। ଯେଉଁ ଭିଡିଓ ଗୁଡିକୁ ବ୍ୟାନ କରାଯାଇଥିଲା ସେଗୁଡିକୁ ମୋଟ ୧.୩୦ କୋଟି ଥର ଦେଖା ଯାଇଥିଲା।
ଏହି ପଦକ୍ଷେପ ପରେ ସରକାର କିଛି ଧାର୍ମିକ ସମୂଦାୟର ଅଧିକାର ଛଡେଇ ନେଇଥିବା ଅଭିଯୋଗ ଉଠିଥିଲା। ଏହା ପୂର୍ବରୁ ସରକାର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡୁଥିବା ୧୦୨ ୟୁ ଟ୍ୟୁବ୍ ଚ୍ୟାନେଲ ଓ ଫେସବୁକ୍ ଆକାଉଣ୍ଟଗୁଡିକୁ ପ୍ରତିବନ୍ଧିତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।