ଇସ୍ତଫା ଦେବେ ଭଗତସିଂହ କୋଶ୍ୟାରୀ! ଏହି ସବୁ ରାଜ୍ୟକୁ ମିଳିବେ ନୂଆ ରାଜ୍ୟପାଳ
25/01/2023 at 4:30 PM

ନୂଆଦିଲ୍ଲୀ ୨୫।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଇସ୍ତଫା ଉପସ୍ଥାପନ ପରେ ଦେଶରେ ରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ରାଜ୍ୟପାଳଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳ ପୁରା ହୋଇ ସାରିଲାଣି ଓ ସେମାନଙ୍କ ଅବଧି ସମ୍ପ୍ରସାରଣ କରାଯାଇଛି। ଏଥିରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି. ମିଶ୍ର ଓ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ପାଞ୍ଚବର୍ଷର କାର୍ଯ୍ୟକାଳ ପୁରା ହୋଇସାରିଲାଣି। ଏହା ସତ୍ତ୍ୱେ ବି.ଡି. ମିଶ୍ରଙ୍କୁ ମେଘାଳୟ ଓ ମୁଖିଙ୍କୁ ନାଗାଲ୍ୟାଣ୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉଭୟ ରାଜ୍ୟରେ ଏବେ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଜାରି ରହିଛି।
ଏହା ଛଡା ସିକ୍କିମ ରାଜ୍ୟପାଳ ଗଙ୍ଗା ପ୍ରସାଦ ଏବଂ ଓଡିଶା ରାଜ୍ୟପାଳ ଗଣେଶି ଲାଲ ମଧ୍ୟ ୪ ବର୍ଷରୁ ଅଧିକ କାଳ ହେଲା ରାଜ୍ୟପାଳ ଅଛନ୍ତି। ତେବେ ଏମାନଙ୍କର ୫ ବର୍ଷ ପୁରଣ ହେବାକୁ ଆଉ କିଛି ସମୟ ବାକି ଅଛି। ତେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶ୍ୟାରୀଙ୍କ ପାଖପାଖି ୨ ବର୍ଷ କାର୍ଯ୍ୟକାଳ ବାକି ଅଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟପାଳ ପଦବୀ ଲାଗି ବିଜେପିରେ ଅନେକ ନେତା ଆଶାୟୀ ଅଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ୮ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ତେବେ ସି.ଭି ଆନନ୍ଦ ବୋଷଙ୍କୁ ଗତବର୍ଷ ନଭେମ୍ବର ମାସରେ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।

ତେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ଇସ୍ତଫା ଦେବାକୁ ଚାହୁଁଛନ୍ତି। ସେ ସବୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହାନ୍ତି ବୋଲି କହିଛନ୍ତି। ଏଣୁ ମହାରାଷ୍ଟ୍ରରୁ ତାଙ୍କୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ତାଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ କୋଶ୍ୟାରୀ ତାଙ୍କ ଟ୍ୱିଟରରେ ‘ପିଏମ ମୋଦିଙ୍କ ନିକଟରେ ମୁମ୍ବାଇ ଯାତ୍ରା କାଳରେ ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଓ ଶେଷ ଜୀବନ ପଢାପଢି ଏବଂ ଲେଖାଲେଖିରେ ବ୍ୟତୀତ କରିବାକୁ ଚାହୁଁଥିବା ଅବଗତ କରିଥିବା ’ ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ମୋତେ ସର୍ବଦା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନେହ ମିଳିଛି ଓ ଏହି ମାମଲାରେ ମଧ୍ୟ ସକରାତ୍ମକ ଆଶା ରଖୁଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ରାଜ୍ୟପାଳ ତାଙ୍କ ବୟାନକୁ ନେଇ ପ୍ରାୟତଃ ବିବାଦରେ ରହୁଛନ୍ତି। ନିକଟରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ଏକ ବୟାନ ଦେଇଥିଲେ। କୋଶ୍ୟାରୀ କହିଥିଲେ ଯେ ସେ ପୁରୁଣା ଦିନର ଆଇକନ । ତାଙ୍କର ଏହି ବୟାନକୁ ନେଇ ବିରୋଧୀ ଦଳଙ୍କ ସହିତ ସରକାରୀ ଦଳର ନେତାମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ ଏହା ପୂର୍ବରୁ ମହାରାଷ୍ଟ୍ରରୁ ଗୁଜରାଟି ଓ ରାଜସ୍ଥାନୀ ହଟି ଗଲେ ଆର୍ଥିକ ନଗରି ତାର ଷ୍ଟାଟସ ହରାଇବ ବୋଲି ମଧ୍ୟ କହିଥିଲେ।