ଟି-୨୦ ବିଶ୍ଵ କପ୍‌ରେ ୬ ପାଓ୍ଵାର ହିଟର୍ସ କରି ପାରନ୍ତି କମାଲ, ଜାଣନ୍ତୁ କିଏ କିଏ ଏହି ଖେଳାଳି

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବଡ ବାଉଣ୍ଡରୀକୁ ଦେଖି ବଡ ସଟ୍ ଖେଳିବା ପାଇଁ ପାଓ୍ଵାରହିଟର୍ସଙ୍କ ଆବଶ୍ୟକତା ରହିଛି। ଏମିତି ଛଅ ପାଓ୍ଵାରହିଟର ଅଛନ୍ତି, ଯେଉଁମାନେ ଚଳିତ ବିଶ୍ଵ କପ୍‌ରେ କମାଲ କରି ପାରନ୍ତି। ଆଉ ଏହି ଛଅ ଖେଳାଳି ଗତ ଏକ ବର୍ଷ ହେବ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଆସନ୍ତୁ ଜାଣିବା ସେହି ଛଅ ପାଓ୍ଵାରହିଟର୍ସଙ୍କ ବିଷୟରେ...

ସୂର୍ଯ୍ୟକୁମାର ଯାଦବ(ଭାରତ)

୨୦୨୧ ମାର୍ଚ୍ଚରେ ଭାରତ ପାଇଁ ପଦାର୍ପଣ କରିବା ପରେ ୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। ଡିଭିଲିୟର୍ସଙ୍କ ପରେ ତାଙ୍କୁ ୩୬୦ ଡିଗ୍ରୀ ବ୍ୟାଟସମ୍ୟାନ କୁହାଯାଉଛି। ଏ ପର୍ଯ୍ୟନ୍ତ ୩୪ ଟି-୨୦ ଅନ୍ତର୍ଜାତୀୟରେ ୧୭୬.୮୨ ଷ୍ଟ୍ରାଇକ ରେଟ୍‌ରେ ରନ କରିଛନ୍ତି। ଏଥିରେ ନଅ ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସାମିଲ୍। ଭାରତକୁ ଆଶା ରହିଛି ଯେ, ଟି-୨୦ ବିଶ୍ଵ କପ୍‌ରେ ବି ସେ ତାଙ୍କର ଲୟ  ଜାରି ରଖିବାରେ ସଫଳ ହେବେ ଏବଂ ଦଳକୁ ବଡ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଡେଭିଡ୍ ମିଲର(ଦକ୍ଷିଣ ଆଫ୍ରିକା)

ଗତ ଏକ ବର୍ଷରେ ମିଲର ଦକ୍ଷିଣ ଆଫ୍ରିକା ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ୬୮.୭୧ ହାରରେ ୪୮୧ ରନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ଫର୍ମ ବଜାୟ ରଖି ନିକଟରେ ଭାରତ ବିପକ୍ଷରେ ୪୭ ବଲ୍‌ରୁ ୧୦୬ ରନର ଇନିଂସ ଖେଳିଥିଲେ।

ମହମ୍ମଦ ନଓ୍ଵାଜ(ପାକିସ୍ତାନ)

ପାକିସ୍ତାନର ଏହି ଅଲରାଉଣ୍ଡର ଗତ ବର୍ଷ  ଏସିଆ କପ୍‌ରେ ପ୍ରଭାବଶାଳୀ ସ୍ପିନ ବୋଲିଂ କରିବା ସହିତ ବ୍ୟାଟ୍‌ରେ ବି ଯୋଗଦାନ ଦେଇଛନ୍ତି। ଅଧିନାୟକ ବାବର ଆଜମ ମଧ୍ୟ କ୍ରମରେ ସରପ୍ରାଇଜ ପ୍ୟାକେଜ୍ ଭାବେ ତାଙ୍କର ବ୍ୟବହାର କରିଛନ୍ତି। ଆଉ ନଓ୍ଵାଜ ବି ଦଳକୁ ନିରାଶ କରି ନାହାନ୍ତି। ଏସିଆ କପ୍‌ରେ ଭାରତ ବିପକ୍ଷରେ ସେ ୨୫ ବଲ୍‌ରେ ୪୨ ରନ କରିଛନ୍ତି। ଗତ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତ୍ରିପାକ୍ଷିକ ଶୃଙ୍ଖଳାରେ ଫାଇନାଲ୍‌ ମ୍ୟାଚ୍‌ରେ ୨୨ ବଲ୍‌ରୁ ୩୮ ରନ ଇନିଂସ ଖେଳିଥିଲେ।

ଟିମ୍ ଡେଭିଡ୍(ଅଷ୍ଟ୍ରେଲିଆ)

ସିଙ୍ଗାପୁରରେ ଜନ୍ମିତ ଡେଭିଡ୍ ସମଗ୍ର ଦୁନିଆରେ ନିଜର ଛକା ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହି କାରଣରୁ ସେ ଅଷ୍ଟ୍ରେଲିଆ ଦଳରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଛଅ ଫୁଟ୍ ପାଞ୍ଚ ଇଞ୍ଚ ଉଚ୍ଚର ଟିମ୍ ଡେଭିଡ୍ ପୂର୍ବରୁ କେବେ ବି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ନାହାନ୍ତି। ତାଙ୍କୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଆଠ କୋଟିରୁ ଅଧିକ ଟଙ୍କାରେ କିଣିଥିଲା। ଡେଭିଡ୍ ମାଥ୍ୟୁ ଓ୍ଵେଦଙ୍କ ସହିତ ଫିନିସର ଭୂମିକା ନିର୍ବାହ କରିବେ।

ଆଲେକ୍ସ ହେଲ୍ସ(ଇଂଲଣ୍ଡ)

୧୧ ବର୍ଷ ପୂର୍ବେ ଇଂଲଣ୍ଡ ପାଇଁ ଟି-୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଆଲେକ୍ସ ହେଲ୍ସ ଡୋପ୍ ଟେଷ୍ଟରେ ବିଫଳ ହେବା କାରଣରୁ ୨୦୧୯ ବିଶ୍ଵ କପ୍‌ ଖେଳି ପାରିନଥିଲେ। ତିନି ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ପରେ ମିଳିଥିବା ସୁଯୋଗକୁ ହାତଛଡା କରିନଥିଲେ। ଗତ ମାସରେ ୫୩ ରନର ଇନିଂସ ଖେଳି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ହେଲ୍ସ।

ମାଇକେଲ୍ ବ୍ରେସଓ୍ଵେଲ(ନ୍ୟୁଜିଲାଣ୍ଡ)

ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ମାଇକେଲ୍ ବ୍ରେସଓ୍ଵେଲ  ମୋଟ୍ ୧୩ ଅନ୍ତର୍ଜାତୀୟ ଟି-୨୦ରୁ ୧୮୩ ଷ୍ଟ୍ରାଇକ୍ ରେଟ୍‌ରେ ୯୦ ରନ କରିଛନ୍ତି। ବ୍ରେସଓ୍ଵେଲ ଲମ୍ବା ସଟ୍ ଖେଳି ପାରନ୍ତି ଏବଂ ଟି-୨୦ ବିଶ୍ଵ କପ୍ ୨୦୨୨ରେ କିଓ୍ଵି ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.