ଦିଲ୍ଲୀରେ ଆଉ ରାତି ନାହିଁ! ୨୪ଘଣ୍ଟା ଖୋଲା ରହିବ ଏହି ସବୁ ଦୋକାନ ଓ ବଜାର, ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ
7/06/2023 at 9:38 PM

ନୂଆଦିଲ୍ଲୀ ୭।୬: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜଧାନୀ ଦିଲ୍ଲୀର ୧୫୫ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନଙ୍କୁ ଏବେ ଦିନରାତି ୨୪ ଘଣ୍ଚା ଖୋଲା ରଖିବାକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାମ୍ବର ଅଫ ଟ୍ରେଡ୍ ଏଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ସ୍ୱାଗତ କରିଛନ୍ତି। ତେବେ ଦିଲ୍ଲୀ ସରକାର କହିଛନ୍ତି ଯେ ଜାତୀୟ ରାଜଧାନୀରେ ବ୍ୟବସାୟୀକ ମାହୋଲ ତିଆରି କରିବାକୁ ଏହି ଅନୁମତି ପ୍ରଦାନ କରାଯାଇଛି। ଦିଲ୍ଲୀ ସରକାର ପ୍ରସ୍ତାବ ମଞ୍ଜୁର କରିବା ପାଇଁ ଉପରାଜ୍ୟପାଳଙ୍କ ନିକଟକୁ ଫାଇଲ ପଠାଇଛନ୍ତି।
ସିସୋଦିଆଙ୍କୁ ମନେ ପକାଇ କାନ୍ଦିଲେ କେଜରିଓ୍ଵାଲ, କହିଲେ- କ’ଣ ଥିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ?
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସରକାର ଗତ ୨ ବର୍ଷରେ ଏପର୍ଯ୍ୟନ୍ତ ୫୨୩ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲା ରଖିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ବର୍ଷ ୧୯୫୪ରୁ ୨୦୨୨ ମଧ୍ୟରେ କେବଳ ୨୬୯ ପ୍ରତିଷ୍ଠାନଙ୍କୁ ୨୪ ଘଣ୍ଟା ଖୋଲିବା ଲାଗି ଅନୁମତି ମିଳିଥିଲା। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଜାତୀୟ ରାଜଧାନୀରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଚି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଛଡା ଆବଶ୍ୟକ ବସ୍ତୁର ବିଭିନ୍ନ ପ୍ରକାର ସେବା ପ୍ରଦାନ ନିମନ୍ତେ ସହଯୋଗ ମିଳିବ।

ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ସିଟିଆଇ ଏକ ବୟାନ ଜାରି କରିଛନ୍ତି। ଏଥିରେ ଜାତୀୟ ରାଜଧାନୀରେ ବ୍ୟବସାୟୀକ ପରିବେଶ ସୃଷ୍ଟି ହେବ ଓ ଲୋକେ ରାତିରେ ମଧ୍ୟ କିଣାକିଣି କରିପାରିବେ ବୋଲି କୁହାଯାଇଛି। ଖାସ୍ କରି ଆଇଟି କମ୍ପାନୀ, ବିପିଓ ଏବଂ ଷ୍ଟାର୍ଟଅପ କମ୍ପାନୀଙ୍କୁ ଏହି ନିଷ୍ପତ୍ତି ଯୋଗୁ ବେଶ୍ ଲାଭ ମିଳିବ। କରୋନା ପରେ ଜାରି କଟକଣା ଯୋଗୁ ୨୪ ଘଣ୍ଟା ଖୋଲା ରହୁଥିବା କାର୍ଯ୍ୟାଳୟର କର୍ମଚାରୀଙ୍କୁ ଖାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମସ୍ୟା ଉପୁଜିବନି।
ଗୋଟିଏ ରୁମରେ ୨୦ ଜଣ, ମିଳୁନି ଖାଇବା; ଅସୁବିଧାରେ ରୁଷରେ ଜରୁରୀ ଅବତରଣ କରିଥିବା ଏୟାର ଇଣ୍ଡିଆର ଯାତ୍ରୀ
ଦିଲ୍ଲୀ ସରକାରଙ୍କ ଏହି ଆଦେଶ ସହ ସାଧାରଣ ଜନତାଙ୍କ ସହିତ ଅଫିସ ଚଳାଉଥିବା କମ୍ପାନୀଙ୍କୁ ମଧ୍ୟ ଆସ୍ୱସ୍ତି ମିଳିବ। ଏହି ଆଦେଶ ପରେ ଖାଇବା ପିଇବା ସାମଗ୍ରୀ ଲାଗି ହୋଟେଲ ଓ ରେସ୍ତୁରାଁ ଏବେ ରାତିରେ ବି ଖୋଲା ରହିବ। ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କୁ ଏହାର ବେଶ୍ ଲାଭ ମିଳିବ। ଏହି ଅନୁମତି ପରେ କୋଚିଂ ସଂସ୍ଥାଙ୍କୁ ମଧ୍ୟ ବେଶ୍ ଲାଭ ହେବ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ଏପର୍ଯ୍ୟନ୍ତ ରାତି ୧୦ଟା ପର୍ଯ୍ୟନ୍ତ ହାଟବଜାର ଖୋଲା ରହୁଥିଲା। ଫଳରେ ସରୋଜିନୀ ନଗର, ଜନପଥ, କରୋଲବାଗ ଭଳି ବଜାର ରାତି ୧୦ ପରେ ଶୁନଶାନ ହୋଇଯାଉଥିଲା।