ମର୍ଜ ହେବାକୁ ଯାଉଛି LIC, ଏହି ୪ ଜେନେରାଲ ଇନସ୍ୟୁରାନ୍ସ ହୋଇପାରନ୍ତି ବିଲୟ !
9/12/2022 at 4:11 PM

ନୂଆଦିଲ୍ଲୀ ୯।୧୨: ଦେଶରେ ହେଉଥିବା ଘରୋଇକରଣ ଓ ମର୍ଜରରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏବେ ଏଲଆଇସିରେ ଦେଶର ୪ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀଙ୍କ ବିଲୟ ହୋଇପାରେ। ଏଥିରେ ସରକାରୀ କ୍ଷେତ୍ରର ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଅସ୍ୱେରନ୍ସ,, ଦି ଓରିଏଣ୍ଟାଲ ଇନସ୍ୟୁରାନ୍ସ ଓ ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ ର ଏଲଆଇସି ରେ ବିଲୟ ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।
ବ୍ୟାପାର ବିଶେଷଜ୍ଞଙ୍କ ଅନୁସାରେ ଏଥିଲାଗି ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଅଧିନିୟମ ୧୯୯୯ ଓ ବୀମା ଅଧିନିୟମ ୧୯୩୮ରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିରେ ପ୍ରସ୍ତାବିତ ସଂଶୋଧନରେ କୁହାଯାଇଛି ଯେ ଦେଶରେ ଜୀବନ ବୀମା ଓ ଅଣ ଜୀବନ ବୀମା ପଲିସି ବିକ୍ରି ଲାଗି ଦେଶରେ ଗୋଟିଏ ମାନ୍ୟ କମ୍ପାନୀ ରହୁ। ଏଥିରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଅନ୍ୟ ଏକ ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନୀର ମଧ୍ୟ ବିଲୟ ହୋଇପାରେ।

ଏ ବିଷୟରେ ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ଘୋଷଣା କରିଥିଲେ ଯେ ରଣନୈତିକ କ୍ଷେତ୍ରରେ କେବଳ ୪ କମ୍ପାନୀ ହିଁ ସରକାରୀ ହୋଇ ପାରିବେ। ଏଣୁ ସରକାର ତାଙ୍କର ୪ ଅଣ ଜୀବନ ବୀମା କମ୍ପାନୀଙ୍କୁ ଏଲଆଇସିରେ ବିଲୟ କରି ପାରନ୍ତି। ଏପରିକି ଏହି ସବୁ କମ୍ପାନୀଙ୍କ କର୍ମଚାରୀମାନେ ମଧ୍ୟ ସେମାନଙ୍କ କମ୍ପାନୀର ବିଲୟ ଏଲଆଇସିରେ ହେଉ ବୋଲି ଚାହୁଁଛନ୍ତି।
ଏଥିରେ ଏକ ବଡ଼ ଖବର ମଧ୍ୟ ଆସୁଛି। ଏଲଆଇସିରେ ଏବେ ଘରୋଇ କ୍ଷେତ୍ରର ଲୋକଙ୍କୁ ଚେୟାରମ୍ୟାନ ହେବାର ସୁଯୋଗ ମିଳିବ। ଏଲଆଇସିର ୬୬ ବର୍ଷ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ଏଲଆଇସିର ଭାଗ୍ୟଡୋରୀ ଜଣେ ଘରୋଇ କ୍ଷେତ୍ରର ଚେୟାରମ୍ୟାନଙ୍କ ହାତରେ ରହିବ। ଏଲଆଇସିଙ୍କ ଏପର୍ଯ୍ୟନ୍ତ ନିୟମ ଅନୁସାରେ କମ୍ପାନୀର ଏମଡିଙ୍କୁ ହିଁ ଚେୟାରମ୍ୟାନ କରାଯାଉଥିଲା।