ଖାଦ୍ୟ ଦ୍ବାରା କରୋନା ଭାଇରସ୍‌କୁ ଦେଇ ହେବ ଚେକ୍‌: ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜୁସ୍, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

Published By : Prameya-News7 Bureau | March 26, 2020 IST

ଭୁବନେଶ୍ୱର୨୬/୦୩ : ଚୀନର ବୁହାନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପୀ ସାରିଛି। କରୋନା ବହୁତ ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି | ଦେଶରେ ଏବେ ଯାଏଁ କରୋନା ଆକ୍ରାନ୍ତରେ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିସହ ଭାରତରେ କରୋନା ଆକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୪୯ ପହଞ୍ଚିଛି। ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦ ଶହ ଛୁଇଁଛି। ଡାକ୍ତର, ବିଶେଷଜ୍ଞ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସରୁ ନିଜକୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନଙ୍କୁ ଅଧିକ ବିପଦ ବୋଲି ଡାକ୍ତର ଓ ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେଥିପାଇଁ ନିଜ ଖାଦ୍ୟାପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି | ଏ ସମୟରେ ନିଜ ଡାଏଟ୍‌ରେ ବିଶେଷ ଧ୍ୟାନ ଦିଅନ୍ତୁ | ନିଜ ଡାଏଟ୍‌ରେ ଏହିସବୁ ଜୁସ୍ ନିଶ୍ଚୟ ସାମିଲ କରନ୍ତୁ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ |  

ଟମାଟୋ ଜୁସ : ଟମାଟୋରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରେ | ଏହାଛଡା ଟମାଟୋରେ ଥିବା ପୋଟାସିୟମ ଓ ଫୋଲେଟ ଇନଫେକ୍ସନରୁ ମଧ୍ୟ ରକ୍ଷା କରିଥାଏ | ୨ ରୁ ୩ଟି ଟମାଟୋକୁ ଗ୍ରାଇଣ୍ଡ କରି ସେଥିରେ ଆଲମ୍ ଲୁଣ ପକାଇ ପିଅନ୍ତୁ | ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହେବ|

ତରଭୁଜ ଜୁସ : ତରଭୁଜରେ ଏମିନୋ ଏସିଡ, ଭିଟାମିନ ଏ ଓ ଲାଇକୋପିନ ରହିଛି | ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ | ତରଭୁଜକୁ ମଧ୍ୟ ଗ୍ରାଇଣ୍ଡିଂ କରି ଛାଣି ଦିଅନ୍ତୁ ଓ ଏଥିରେ ଅଳ୍ପ ଲୁଣ ପକାଇ ପିଅନ୍ତୁ | ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ମଧ୍ୟ ସ୍ୱାସ୍ଥ୍ୟକର |

ଗାଜର ଓ ଅଦା ଜୁସ : ଗାଜର ଓ ଅଦାରେ ଭିଟାମିନ, ମିନେରାଲ, ଆଣ୍ଟିଅକ୍ସିଡେଣ୍ଟ୍ ଗୁଣ ରହିଛି | ଏହା ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇଥାଏ | ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ | ଗାଜର ଓ ଅଦାକୁ ପାଣି ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ | ଏହାପରେ ଏହି ମିଶ୍ରଣକୁ ଛାଣି ସେଥିରେ ଲୁଣ ପକାଇ ପିଅନ୍ତୁ |

ପାଳଙ୍ଗ ଓ ପତ୍ର କୋବି ଜୁସ୍‌ : ପାଳଙ୍ଗ ଏବଂ ପତ୍ର କୋବି ଭିଟାମିନ, ଫଲିକ ଏସିଡ, କ୍ୟାଲସିୟମ ଓ ପୋଟାସିୟମ ରହିଛି ଯାହା ହାଡ ଓ ମାଂସପେଶୀକୁ ମଜବୁତ ରଖିବାରେ ସାହାଯ୍ୟ କରେ | ପାଳଙ୍ଗ ଓ ପତ୍ର କୋବିରେ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ | ଏହାପରେ ଏଥିରେ ଟିକେ ଲୁଣ ପକାଇ ପିଅନ୍ତୁ |

କମଳା ଅଙ୍ଗୁର ଜୁସ : କମଳା ଓ ଅଙ୍ଗୁରରେ ଅଧିକ ମାତ୍ରାରେ କ୍ୟାଲସିୟମ, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ ଓ ମିନେରାଲ ରହିଛି | ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ଶକ୍ତି ବୃଦ୍ଧି କରିଥାଏ | କମଳା ଓ ଅଙ୍ଗୁରକୁ ଗ୍ରାଇଣ୍ଡ କରି ସେଥିରେ ଲୁଣ ପକାଇ ପିଅନ୍ତୁ |

ଏହିସବୁ ଜୁସରେ ଆପଣ ଚିନି ମିଶାଇ ମଧ୍ୟ ପିଇପାରିବେ | କିନ୍ତୁ କରୋନା ଭଳି ମାରତ୍ମକ ଭାଇରସ୍‌ ରକ୍ଷା ପାଇଁ ଚିନି, ମିଠାଯୁକ୍ତ ଖାଦ୍ୟ, ଥଣ୍ଡା ପାନୀୟ, ମିଠା ପାନୀୟ ଆଦି ଠାରୁ ଦୁରେଇ ରହିବାକୁ ଡାକ୍ତର ଏବଂ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି | ସେଥିପାଇଁ ଏହି ସମୟରେ ଏସବୁ ଜୁସରେ ଲୁଣ ମିଶାଇ ପିଇବା ଅଧିକ ସ୍ୱାସ୍ଥ୍ୟକର| ଏହା ସତ୍ତ୍ବେ କାଶ, ଥଣ୍ଡା ଏବଂ ଜ୍ବର ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.