ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନରେ ଜାଣନ୍ତୁ ନଇଁବ କେଉଁ ଦେଶମାନଙ୍କ ପତାକା
9/09/2022 at 3:29 PM

ନୂଆଦିଲ୍ଲୀ ୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ସାରା ବିଶ୍ୱରେ ତାଙ୍କ ମୃତ୍ୟୁ ନେଇ ଶୋକ ପ୍ରସରି ଯାଇଛି। ତେବେ ମହାରାଣୀଙ୍କ ଆବର୍ତ୍ତମାନରେ ତାଙ୍କ ସମ୍ମାନ ପାଇଁ ବିଶ୍ୱର କେଉଁ ସବୁ ଦେଶ ପତାକା ନୁଆଁଇବେ ତାହା ଆସନ୍ତୁ ଜାଣିବା। ଅନୁନ୍ୟ ୫୪ଟି ଦେଶ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ସେମାନଙ୍କ ପତାକା ନୁଆଁଇବେ। ଏହା ପଛରେ ଏକ ବଡ କାରଣ ମଧ୍ୟ ରହିଛି। ତାହା ହେଉଛି ମହାରାଣୀ ଏଲିଜା ବେଥ୍ କେବଳ ବ୍ରିଟେନର ରାଣୀ ନଥିଲେ ୫୪ ରାଷ୍ଟ୍ରମଣ୍ଡଳ ଦେଶଙ୍କର ମଧ୍ୟ ପ୍ରମୁଖ ଥିଲେ।
ରାଷ୍ଟ୍ରମଣ୍ଡଳ ବା କମନୱେଲଥ ଅଫ ନେସନସ୍ ୫୪ ସ୍ୱାଧୀନ ଦେଶଙ୍କ ଏକ ଅନ୍ତର ସରକାରୀ ସଙ୍ଗଠନ। ଏହି ସଙ୍ଗଠନ ସେହି ସବୁ ଦେଶଙ୍କ ସମୂହ ଯେଉଁମାନେ ଏକଦା ବ୍ରିଟିଶ ଶାସନାଧୀନ ଥିଲେ। ଏଣୁ ଏହି ସବୁ ଦେଶଙ୍କ ପତାକା ରାଣୀଙ୍କ ସମ୍ମାନରେ ନଇଁବାଟା ନିଶ୍ଚିତ। ଅନ୍ୟ ଦେଶମାନେ ଶୋକ ପ୍ରକଟ କରିବେ। ତେବେ ରାଣୀଙ୍କ ସମ୍ମାନରେ ଏସିୟା କ୍ଷେତ୍ରରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ସିଙ୍ଗାପୁର, ମାଲେସିଆ, ମାଲଦ୍ୱୀପ ଓ ବ୍ରୁନେଇ ଆଦି ଦେଶମାନେ ସେମାନଙ୍କ ପତାକା ନୁଆଁଇବେ।

ସେହିପରି ଆଫ୍ରିକୀୟ ଦେଶଙ୍କ ମଧ୍ୟରେ ବୋଟସୱାନା କେମେରୁନ, ଗାମ୍ବିଆ ଘାନା, କେନ୍ୟା ଲୋସଥୋ, ମଲାଭି, ମରିସସ, ମୋଜାମ୍ବିକ, ନାମିବ୍ୟା, ନାଇଜେରିଆ, ରୱାଣ୍ଡା, ସେସଲସ୍, ସିୟରାଲିୟନ, ଦକ୍ଷିଣ ଆଫ୍ରିକା, ସ୍ୱାଜିଲ୍ୟାଣ୍ଡ, ୟୁଗାଣ୍ଡା, ୟୁନାଇଟେଡ ରିପବ୍ଲିକ୍ ତାଞ୍ଜାନିଆ ଜାମ୍ବିୟା ଆଦି ଦେଶମାନେ ରାଣୀ ସମ୍ମାନରେ ପତାକା ନୁଆଁଇବେ। ସେହିପରି ଆମେରିକୀୟ ଦେଶ ମଧ୍ୟରେ ଏଣ୍ଟିଗୁଆ, ବାର୍ବୁଡା, ବହାମାସ, ବାରବାଡୋସ, ବିଲିଜ, କାନାଡା, ଡୋମିନିକା, ଗ୍ରେନେଡା, ଗୁୟାନା, ଜାମାଇକା ସେଣ୍ଟ କିଟସ୍ ଓ ନେଭିସ୍ ସେଣ୍ଟ ଲୁଇସ୍ ଆଦି ଦେଶ ମଧ୍ୟ ସେମାନଙ୍କ ପତାକା ଝୁକାଇବେ।
ସେହିପରି ପ୍ରଶାନ୍ତ କ୍ଷେତ୍ରର ଦେଶଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଫିଜି, ଆଇଲେଣ୍ଡସ୍, କିରିବାତୀ, ନାଉରୁ, ନ୍ୟୁଜିଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, ସମୋଆ, ସୋଲମନ ଆଇଲ୍ୟାଣ୍ଡସ୍ ଓ ଟୋଙ୍ଗା ମଧ୍ୟ ରାଣୀଙ୍କ ସମ୍ମାନରେ ନିଜନିଜ ଦେଶର ପତାକାକୁ ନୁଆଁଇବେ। ସେହିପରି ୟୁରୋପୀୟ ଦେଶଙ୍କ ମଧ୍ୟରେ ସାଇପ୍ରସ, ମାଲ୍ଟା ଓ ୟୁନାଇଟଡ କିଙ୍ଗଡମ ଓ କମନୱେଲଥ ଦେଶଙ୍କ ବାହାରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ୟୁକ୍ରେନ ଓ ଫିନଲ୍ୟାଣ୍ଡ ମଧ୍ୟ ମିତ୍ର ଦେଶ ଭାବେ ରାଣୀଙ୍କୁ ସମ୍ମାନ ଜଣାଇବେ।