ବରମୁଣ୍ଡା ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ୱର ୨୬/୦୨: ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ । ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ । ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । 5T ଅଧ୍ୟକ୍ଷଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏ ସମ୍ପର୍କରେ ହୋଇଥିଲା ଆଲୋଚନା । ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି ।

ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ସୂଚନାଥାଉକି, 5T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଏହା ଲୋକାର୍ପିତ ହେବ ।

ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍‌ ଯାତାୟତ କରିବ । ଭବିଷ୍ୟତରେ ବସ୍‌ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ । ତା ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । 5T ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା ।

ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ Pick up and Drop off ସୁବିଧା, ୧୪୪ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ ।

ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି । ଏହି ଆଉଟପୋଷ୍ଟରେ ୮୯ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ ୨ଜଣ ସବ୍‌-ଇନ୍‌ସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ ।

you can also read..

wp:embed {"url":"https://www.prameyanews7.com/dj-machine-seized-by-infocity-police-of-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dj-machine-seized-by-infocity-police-of-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.