ନୂଆ ବର୍ଷରେ ଖୁସିଖବର ଦେଇ ପାରନ୍ତି କେନ୍ଦ୍ର ସରକାର, LPG ସିଲିଣ୍ଡର ମୂଲ୍ୟରେ ମିଳିପାରେ ବଡ଼ ରିହାତି
23/12/2022 at 2:01 PM

ନୂଆଦିଲ୍ଲୀ ୨୩।୧୨: ମହଙ୍ଗା ଦରରେ ଏଲପିଜି ଗ୍ୟାସ୍ କ୍ରୟ କରୁଥିବା ଗ୍ରାହକଙ୍କୁ ନୂଆ ବର୍ଷରେ ମିଳିପାରେ ବଡ଼ ଆଶ୍ୱସ୍ତି। ଗତ ଜୁଲାଇ ମାସରୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୩୦ ପ୍ରତିଶତ ହ୍ରାସ ହେଲାଣି। ତେବେ ଲୋକେ ଏବେବି ପ୍ରତି ଏଲପିଜି ସିଲିଣ୍ଡର ୧୦୫୬ ଟଙ୍କା ମୂଲ୍ୟରେ କିଣୁଛନ୍ତି। ଏଣୁ ଆଶା କରାଯାଉଛି ନୂଆ ବର୍ଷରେ ଗ୍ରାହକଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତ କରିପାରନ୍ତି ସରକାର।
ଉଲ୍ଲେଖ ଯୋଗ୍ୟ ଯେ ଦେଶର ଆବଶ୍ୟକତା ମୁତାବକ ତୈଳ ଓ ଗ୍ୟାସ୍ ଭାରତରେ ପର୍ଯ୍ୟାପ୍ତ ଉତ୍ପାଦନ ହେଉ ନାହିଁ। ଏଣୁ ଯୋଗାଣ ଲାଗି ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସ ମୂଲ୍ୟ ଲଗାତାର ତଳ ଉପର ହେଉଛି। ସେହି ଅନୁସାରେ ଦେଶରେ ମଧ୍ୟ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ କମ ବହୁତ ହେଉଛି। ଦେଶରେ ତୈଳ ଓ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ଲାଗି ସରକାର ତୈଳ କମ୍ପାନୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି କମ୍ପାନୀ ମାନେ ୬ ଜୁଲାଇ ୨୦୨୨ ପରଠାରୁ ଗ୍ୟାସ ମୂଲ୍ୟରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରି ନାହାନ୍ତି।

ତେବେ ଏହି ଅବଧିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ଅର୍ଥାତ ତୈଳ କମ୍ପାନୀମାନେ ଅପେକ୍ଷାକୃତ କମ ଦରରେ ଗ୍ୟାସ୍ ଓ ତୈଳ କ୍ରୟ କରି ଦେଶର ବଜାରରେ ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଅକ୍ଟୋବର ୨୦୨୨ରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୮୫ ଡଲାର ଥିଲା। ସେତେବେଳେ ଦେଶରେ ଏଲପିଜି ସିଲିଣ୍ଡର ୮୯୯ ଟଙ୍କାରେ ବିକ୍ରି ହେଉଥିଲା। ତା ପରଠାରୁ ଏ ପର୍ଯ୍ୟନ୍ତ ସରକାର ଏଲପିଜି ମୂଲ୍ୟରେ ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦର ୮୩ ଡଲାରକୁ ହ୍ରାସ ହୋଇଥିଲେ ମଧ୍ୟ ସରକାର ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରି ନାହାନ୍ତି।
ଏଣୁ ଆଶା କରାଯାଉଛି ସରକାର ନୂଆ ବର୍ଷରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟରେ ଏପ୍ରିଲ ୨୦୨୩ରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ଦରରେ ଗ୍ରାହକଙ୍କୁ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଆଗାମୀ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ, ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ଏବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି। ଏଣୁ କେନ୍ଦ୍ର ସରକାର ନୂଆ ବର୍ଷରେ ଏଲପିଜି ଦର ହ୍ରାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଏବେ ମୁମ୍ବାଇରେ ପ୍ରତି ଏଲପିଜି ସିଲିଣ୍ଡର ୧୦୫୨ଟଙ୍କା ୫୦ ପଇସା ଦରରା ବିକ୍ରି ହେଉଥିବା ବେଳେ କୋଲକାତାରେ ୧୦୭୯ ଟଙ୍କା, ଦିଲ୍ଲୀରେ ୧୦୫୩ ଟଙ୍କା, ପାଟନାରେ ୧୧୫୧ ଟଙ୍କା, ଲକ୍ଷ୍ନୌରେ ୧୦୯୦ ଟଙ୍କା ଓ ଚେନ୍ନାଇରେ ୧୦୬୮ ଟଙ୍କା ଦରରେ ଏଲପିଜି ଗ୍ୟାସ୍ ବିକ୍ରି ହେଉଛି।