ନୂଆଦିଲ୍ଲୀ ୦୨।୦୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କହିଛନ୍ତି ସାଧାରଣ ଲୋକଙ୍କଠୁ କରୋନା ଭାଇରସ୍ ଲଢେଇରେ ଯୋଗଦାନ ରୂପେ ଟଙ୍କା ନିଆଯାଉଛି। ତେଣୁ ପିଏମ କେୟାର୍ସ ଫଣ୍ଡରେ ଜମା ହେଉଥିବା ପଇସାର ଅଡିଟ୍ ହେବା ଉଚିତ୍।
ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାରେ ଅଫିସର ଲୋକଙ୍କଠୁ ପିଏମ କେୟାର୍ସ ଫଣ୍ଡକୁ ଟଙ୍କା ଦେବାକୁ କହୁଛନ୍ତି। ୧୦୦-୧୦୦ ଟଙ୍କା ଲେଖାଏଁ ଦେବାକୁ ଏକ ପ୍ରକାର ହୁକୁମ କରୁଛନ୍ତି। ତେଣୁ ଲୋକଙ୍କ ପଇସାର ହିସାବ ଲୋକଙ୍କୁ ଦେବା ଦରକାର। କରୋନା ଜନିତ ସ୍ଥିତିରେ ସହାୟତାକୁ ବିରୋଧ ନକରି ପ୍ରିୟଙ୍କା କହିଛନ୍ତି ଲୋକେ ଦେଉଥିବା ପଇସା ଏବଂ ଖର୍ଚ୍ର ହିସାବ ସାର୍ବଜନୀନ ହେବା ଆବଶ୍ୟକ। ଏହା ସହ ସେ ଦେଶର ଅନେକ ପୁଞ୍ଜିପତିଙ୍କ ୬୮୦୦୦ କୋଟି ଟଙ୍କା ଋଣକୁ ଛାଡ କରାଯିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କାହିଁକି ସେମାନଙ୍କୁ ଛାଡ କରାଗଲା ତାହା ବି ଜାଣିବାର ଅଧିକାର ସାଧାରଣ ଜନତାଙ୍କ ରହିଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।
କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି, ଜନତା ତ୍ରାହିମାମ କରୁଛନ୍ତି। ରାସନ, ପାଣି, ନଗଦ ଅର୍ଥର ଅଭାବ ରହିଛି। ସରକାରୀ ଅଧିକାରୀ ସମସ୍ତଙ୍କୁ ୧୦୦-୧୦୦ ଟଙ୍କା ପିଏମ କେୟାର୍ସ ପାଇଁ ଆଦାୟ କରୁଛନ୍ତି। ତେଣୁ ପିଏମ କେୟାର୍ସ ଫଣ୍ଡର ସରକାରୀ ଅଡିଟ୍ ହେବା ମଧ୍ୟ ଉଚିତ୍। ଦେଶରୁ ପଳାୟନ କରିଥିବା ବ୍ୟାଙ୍କ ଚୋରଙ୍କ ୬୮,୦୦୦ କୋଟି ଟଙ୍କାର ହିସାବ ହେବା ଉଚିତ୍। ସଙ୍କଟ ସମୟରେ ଜନତାଙ୍କ ସାମ୍ନାରେ ପାରଦର୍ଶିତା ବହୁତ ମହତ୍ଵପୂର୍ଣ୍ଣ। ଏଥିରେ ଜନତା ଏବଂ ସରକାରଙ୍କ ଉନ୍ନତି ହେବ।