ନୀଳଗିରି: ନୀଳଗିରି ବ୍ଲକ ଅଧିନ ଗରଡ଼ିହି ପଞ୍ଚାୟତରେ ଅନିୟମିତତା ପଦାରେ ପଡିଛି। ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ନୀଳଗିରି ବ୍ଲକ ପ୍ରଶାସନ ଅନିୟମିତତା ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଅଭିଯୋଗ ପାଇ ମଧ୍ୟ ଆଖି ବୁଜିଦେଇଥିବା ଅଭିଯୋଗ ଉଠିଛି।
ସୂଚନା ଅନୁଯାୟୀ, ନୀଳଗିରି ବ୍ଲକରେ ଗୋଟିଏ ପରେ ଗୋଟିଏ ଦୂର୍ନୀତି ଏବେ ପଦାରେ ପଡିବାରେ ଲାଗିଛି। ୫ଟି ସ୍କୁଲ ସମ୍ପୂର୍ଣ୍ଣ ନହେଉଣୁ ରଙ୍ଗ ଛାଡିବା ଏବଂ କାନ୍ଥ ଫାଟିବା ଭଳି ଘଟଣା କାହାକୁ ଅଛପା ନାହିଁ। ସ୍କୁଲ ପରିସରରେ ଥିବା ପୋଖରୀ ଓ ଖେଳ ପଡିଆ ଉନ୍ନତିକରଣ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଅମୁତ ସରୋବର ପୋଖରୀର ମଧ୍ୟ ସମାନ ଅଭିଯୋଗ। ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡ଼ିଓଙ୍କୁ ଅଭିଯୋଗ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। କାଳେ କଠୋର କାର୍ଯ୍ୟାନୁଷ୍ଠାନ ହେବ ପୂର୍ବତନ ଏପିଓ ମଧ୍ୟ ଚାକିରି ଛାଡି ପଳାଇ ଗଲେଣି।
{"id":729842,"sizeSlug":"full","linkDestination":"none"}ଏବେ ପୁଣି ଗରଡ଼ିହି ପଞ୍ଚାୟତରେ ନୂତନ ଅଭିଯୋଗ ଆସିଛି। ୟାସ ଯୋଜନାରେ ଟିଆକଟା ଗ୍ରାମର ଗୋପାଳ ସିଂଙ୍କ ଘର ଠାରୁ ପୂର୍ଣ୍ଣଚନ୍ଦ୍ର ସିଂଙ୍କ ଘର ପର୍ଯ୍ୟନ୍ତ ସିସି ରାସ୍ତା ପାଇଁ ୭୫ ହଜାର ବିଲ୍ ଉଠିଥିବା ବେଳେ ଏବେ ସେଠାରେ ସେଭଳି ରାସ୍ତା ନଥିବା ଦେଖିବାକୁ ମିଳିଛି। ତେବେ ଯନ୍ତ୍ରୀ ଓ ବିଡିଓ ସେହି ସ୍ଥାନରେ ରାସ୍ତା ନଥାଇ କିପରି ବିଲ୍ କଲେ ତାଙ୍କ କାର୍ଯ୍ୟ ଉପରେ ଆଙ୍ଗୁଳି ଉଠିଛି। ସେହିପରି ଟିଆକଟା ପ୍ରାଥମିକ ବିଦ୍ୟାଳୟରେ ଏହି ଯୋଜନାରୁ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାମ ହୋଇନଥିବା ବେଳେ ଗ୍ରାମବାସୀମାନେ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ତେବେ ଘଟଣାକୁ ନେଇ ବିଡ଼ିଓ ରାହୁଲ ମଣ୍ଡଳଙ୍କ ପ୍ରତିକ୍ରିୟା ନେବା ପରେ ସେ ଏହି କାମଟି ସେହିଠାରେ ହୋଇନଥିବା ସ୍ୱୀକାର କରିଛନ୍ତି। ପ୍ରୋଜେକ୍ଟ ଥିବା ସ୍ଥାନରେ କାମ ନହୋଇ ଅନ୍ୟ ସ୍ଥାନରେ କାମ ହୋଇ ବିଲ୍ ହୋଇଥିବା କହିଛନ୍ତି। ଯଦି ଏହା ହୋଇଥାଏ ତାହା ମଧ୍ୟ ସାଙ୍ଘାତିକ ଅପରାଧ। ଅଧିକାରୀ ମାନେ କେଉଁ ସ୍ୱାର୍ଥ ରଖି ସରକାରୀ ଅର୍ଥକୁ ନିୟମ ଅନୁସାରେ କରୁନାହାନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।