ସ୍କୁଲରେ ଭଗବତ ଗୀତା ପଢାଯିବାରେ ଆପତ୍ତି ନାହିଁ, ସମ୍ବିଧାନର କ'ଣ ହେବ ?- ସିଦ୍ଧରମୈୟା

Published By : Prameya-News7 Bureau | March 20, 2022 IST

ବେଙ୍ଗାଲୁରୁ ୨୦।୦୩: ସ୍କୁଲ ପାଠ୍ୟକ୍ରମରେ ଭଗବତ ଗୀତା ସାମିଲ କରାଯିବା ପ୍ରସଙ୍ଗକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। ଏହି କ୍ରମରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ସ୍କୁଲରେ ଭଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ୍ କରାଗଲେ ଏହା ବିଦ୍ୟାର୍ଥୀଙ୍କୁ ନୈତିକ ମୂଲ୍ୟ ପ୍ରଦାନ କରିବ।

ମେଙ୍ଗାଲୁରୁରେ ସାମ୍ବାଦିକ ସହ ଆଲୋଚନା ବେଳେ ସିଦ୍ଧରମୈୟା କହିଛନ୍ତି, ମୋତେ ଭଗବତ ଗୀତା ଶିଖାଇବାରେ କୌଣସି ଆପତ୍ତି ନାହିଁ। ସେ ଭଗବତ ଗୀତା ହେଉ କି କୁରାନ କିମ୍ବା ବାଇବେଲ୍ ହେଉ, ଆମକୁ ଏଥିରେ କୌଣସି ଆପତ୍ତି ନାହିଁ। ଆମେ ଚାହୁଁଛୁ ବିଦ୍ୟାର୍ଥୀଙ୍କୁ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ନିଜର ଚାହିଦା ପୂରଣ ପାଇଁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ମିଳୁ। ଛାତ୍ର-ଛାତ୍ରୀଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ। ପିଲାମାନଙ୍କୁ ଘରେ ଭଗବତ ଗୀତା, ରାମାୟଣ ଏବଂ ମହାଭାରତ ପଢାଯିବା ଉଚିତ୍। ପିଲାମାନଙ୍କୁ ନୈତିକ ଶିକ୍ଷା ଦେବା ଉଚିତ୍ ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ପାର୍ଟି ସମ୍ବିଧାନ ଏବଂ ଧର୍ମ ନିରପେକ୍ଷତା ଉପରେ ବିଶ୍ଵାସ କରେ। କାହାରିକୁ ମଧ୍ୟ ସମ୍ବିଧାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ। ଦେଶ ଗୋଟିଏ ବହୁଳବାଦୀ ସମାଜରେ ବିଶ୍ଵାସ କରିଥାଏ ଏବଂ ଆମେ ସଦ୍ଭାବ ଏବଂ ସହିଷ୍ଣୁତାରେ ବିଶ୍ଵାସ କରିଥାଉ ବୋଲି ସିଦ୍ଧରମୈୟା କହିଛନ୍ତି।  

ସୂଚନାଯୋଗ୍ୟ, ଗୁରୁବାର ଗୁଜରାଟ ସରକାର ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠଠୁ ନେଇ ଦ୍ଵାଦଶ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଭଗବତ ଗୀତା ସାମିଲ୍ କରିବାକୁ ଘୋଷଣା କରିଛନ୍ତି। ଏହା ପରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସ୍କୁଲଗୁଡିକରେ ଭଗବତ ଗୀତାକୁ ସାମିଲ୍ କରିବା ନେଇ ସେ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.