ବ୍ରିଟେନରେ ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି କଲେ ସରକାର
15/10/2023 at 4:51 PM

ଲଣ୍ଡନ ୧୫।୧୦: ବ୍ରିଟେନରେ ପୁଣି ଆତଙ୍କର ମାହୋଲ। ଏଠାରେ ତାପମାତ୍ରା ହ୍ରାସ ସହ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି। କୁହାଯାଉଛି ଋତୁରେ କୋଭିଡର ନୂଆ ସଂକ୍ରମଣ ବ୍ୟାପୁଛି। ପରିସ୍ଥିତିକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କ ନିମନ୍ତେ ବର୍ତ୍ତମାନର ୩ଟି ଲକ୍ଷଣ ସମ୍ପର୍କରେ ସତର୍କତା ଜାରି କରାଯାଉଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡର ମୁଖ୍ୟତଃ ୩ଟି ଲକ୍ଷଣ ସମ୍ପର୍କରେ ସଚେତନ କରାଯାଉଛି। କୁହାଯାଉଛି ଏହି ସବୁ ଲକ୍ଷଣ ଉପରେ ଏବେଠୁ ଧ୍ୟାନ ଦିଆଯିବା ଜରୁରି।
ନ୍ୟୁଜ୍ ସାଇଟ୍ ଦି ମିରର ଏକ ରିପୋର୍ଟ ଅନୁସାରେ ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ (ୟୁକେଏଚଏସଏ) କହିଛନ୍ତି ଯେ ଫ୍ଲୁ ଭଳି ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ଶୀତକାଳୀନ ଭୂତାଣୁ ବୃଦ୍ଧି ସହିତ କୋଭିଡ ସଂକ୍ରମଣ ବଢିବା ମଧ୍ୟ ନିଶ୍ଚିତ। କାରଣ ଲୋକେ ଏବେ ଘର ଭିତରେ ବେଶି ସମୟ ରହିବେ। ଏଣୁ ସରକାରଙ୍କ ପକ୍ଷରୁ ଶୀତକାଳୀନ କୋଭିଡ ଓ ଫ୍ଲୁ ଟିକାକରଣ ତ୍ୱରାନ୍ୱିତ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନର ନୂଆ ସବ ଭାରିଆଣ୍ଟ ଯାହା ବିଏ.୨.୮୬ ଭାବେ ଜଣାଶୁଣା ପ୍ରଥମେ ଅଗଷ୍ଟ ମାସରେ ସାମ୍ନାକୁ ଆସିଥିଲା। ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁ ଗୁରୁତର ରୂପେ ଅସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। କାରଣ ପୂର୍ବରୁ କରାଯାଇଥିବା ଟିକାକରଣ ଯୋଗୁ ଲୋକଙ୍କୁ ସୁରକ୍ଷା ମିଳିବ।

ଇଂଲଣ୍ଡ ଏବଂ ୱେଲସ୍ ରେ ଶରତ ଋତୁ ଆରମ୍ଭ ସହ କୋଭିଡ ସଂକ୍ରମଣ ହାର ହ୍ରାସ ହୋଇଛି। ଅକ୍ଟୋବର ପ୍ରଥମ ସପ୍ତାହନ୍ତ ସୁଦ୍ଧା ସଂକ୍ରମଣ ସଂଖ୍ୟା ୪୪୮ ଥିଲା। ଏହା ପୂର୍ବ ସପ୍ତାହରେ ଏହା ୪୪୧ ଥିଲା। ତେବେ ୟର୍କସାୟର ଲାଇଭ ରିପୋର୍ଟରେ ନବୀନତମ ସରକାରୀ ତଥ୍ୟ ଅନୁସାରେ ୭ ଅକ୍ଟୋବର ପର୍ଯ୍ୟନ୍ତ ଜାରି ସପ୍ତାହରେ ଇଂଲଣ୍ଡରେ ୧୫,୭୯୭ ନୂଆ କୋଭିଡ ମାମଲା ରେକର୍ଡ ହୋଇଛି। ଏହା ପ୍ରତ୍ୟେକ ୧ଲକ୍ଷ ଜନସଂଖ୍ୟାରେ ପାଖାପାଖି ୨୭.୯ ପ୍ରତିଶତ ମାମଲା ସହ ସମାନ।
ତେବେ ଆଶଙ୍କା କରାଯାଉଛି ପାଗ ଯେତେ ଥଣ୍ଡା ହେବ କୋଭିଡ ସଂକ୍ରମଣ ସେତେ ତୀବ୍ର ହେବ। ଏଥିରେ ଇଂଲଣ୍ଡରେ ସକରାତ୍ମକ ପରୀକ୍ଷଣ କରାଇଥିବା ଲୋକଙ୍କ ଦ୍ୱାରା ହସ୍ପିଟାଲ ଏବେଠୁ ଭରିବାକୁ ଲାଗିଲାଣି। ଯେଉଁଥିରୁ ଭାଇରସ ବ୍ୟାପକ ବ୍ୟାପୁଥିବାର ଅନୁମାନ କରାଯାଉଛି। ଇଂଲଣ୍ଡର ବିଭିନ୍ନ ହସ୍ପିଟାଲରେ ଏବେ କୋଭିଡ ରୋଗୀଙ୍କ ସଂଖ୍ୟା ୫ ମାସର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ୮ ଅକ୍ଟୋବର ପର୍ଯ୍ୟନ୍ତ ଏନଏଚଏସ୍ ଇଂଲଣ୍ଡ ହସ୍ପିଟାଲମାନଙ୍କରେ କୋଭିଡର ୪,୪୧୪ ରୋଗୀଙ୍କ ସୂଚନା ଦେଇଛନ୍ତି। ଏହା ଗତ ସପ୍ତାହ ଅପେକ୍ଷା ୧୪ ପ୍ରତିଶତ ଅଧିକ ଓ ୪ ମେ ପରେ ଦେଶରେ ସର୍ବାଧିକ ବୋଲି କୁହାଯାଇଛି।
ଇସ୍ରାଏଲର ଆକ୍ରମଣରେ ହମାସର ଆଉ ଜଣେ କମାଣ୍ଡର ମୃତ, ନିପାତ ହେଲା ମାଷ୍ଟରମାଇଣ୍ଡ ଅଲ କାଦ୍ରା