ସେହି ସମୟରେ ୧୦୦ ରନ କରି ପାରିନଥିଲେ ସଚିନ, ଦ୍ରାବିଡ ଏବଂ ସେହ୍ଵାଗ, ବାଂଲାଦେଶ ବିପକ୍ଷରେ ରବିବାର କ'ଣ ହେବ ?   

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଆସନ୍ତାକାଲି ଚତୁର୍ଥ ଦିନ ଖେଳ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ରବିବାର ମୀରପୁର ଟେଷ୍ଟର ଚତୁର୍ଥ ଦିନରେ ପଡିଆକୁ ଓହ୍ଲାଇବା ସମୟରେ ଭାରତୀୟ ଦଳ ଲଜ୍ଜାଜନକ ରେକର୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିବ। ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍‌ରେ ବାଂଲାଦେଶ ନିକଟରୁ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ। ମ୍ୟାଚ୍‌ର ତୃତୀୟ ଦିନରେ ଘରୋଇ ଦଳ ୨୩୧ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଛି। ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୪୫ ରନ କରିଛି। ଭାରତକୁ ଜିତିବା ପାଇଁ ୧୦୦ ରନ ଦରକାର ଥିବା ବେଳେ ବାଂଲାଦେଶ ବିଜୟଠୁ ୬ ଓ୍ଵିକେଟ୍ ଦୂରରେ ରହିଛି।

ରୋମାଞ୍ଚକର ମୋଡରେ ଢାକା ଟେଷ୍ଟ। ଖେଳର ପ୍ରଥମ ଅଢେଇ ଦିନ ମଜବୁତ ସ୍ଥିତିରେ ଥିବା ଭାରତ ତୃତୀୟ ଦିନର ଶେଷ ବେଳକୁ ମୁସ୍କିଲ ସ୍ଥିତିରେ ରହିଛି। ଏପରିକି ଭାରତ ଉପରେ ପରାଜୟର ବାଦଲ ଘନେଇଛି। ବାଂଲାଦେଶ ଦ୍ଵାରା ଧାର୍ଯ୍ୟ ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୪୫ ରନ କରିଛି। ଅକ୍ଷର ପଟେଲ୍ ୨୬ ରନ ଏବଂ ଜୟଦେବ ଉନାଦକତ ୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଚତୁର୍ଥ ଦିନରେ ମ୍ୟାଚ୍‌ର ଫଳାଫଳ ବାହାରିବା ନିଶ୍ଚିତ। ଭାରତକୁ ଜିତିବା ପାଇଁ ୧୦୦ ରନ ଦରକାର ଥିବା ବେଳେ ହାତରେ ରହିଛି ୬ ଓ୍ଵିକେଟ୍।  ଭାରତର ବିଜୟ ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ଉପରେ ନିର୍ଭର କରେ। କେଏଲ ରାହୁଲ, ଶୁଭମାନ ଗିଲ୍, ଚେରେଶ୍ଵର ପୂଜାରା ଏବଂ ବିରାଟ କୋହଲିଙ୍କ ପରି ବ୍ୟାଟସମ୍ୟାନ ପାଭିଲିୟନ ଫେରି ସାରିଛନ୍ତି। ସ୍କୋର ବଡ ନୁହେଁ ତଥାପି ଇତିହାସ ଡରାଇବା ପରି ରହିଛି। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ପରି ବଡ ଖେଳାଳି ବି ୧୦୦ ରନ କରିପାରିନଥିଲେ। ଭାରତୀୟ ଦଳକୁ ନିଜ ଘରୋଇ ମାଟିରେ ହିଁ ଏମିତି ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଭାରତୀୟ ଦଳ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ଭୋଗିଥିଲା। ୨୦୦୬ରେ ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୨ ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତୀୟ ଦଳ ଦ୍ଵିତୀୟ ଇନିଂସରେ ମାତ୍ର ୧୦୦ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୦୦ ରନ କରିଥିଲା। ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭୯ ରନ କରିପାରିଥିଲା ଏବଂ ଦ୍ଵିତୀୟ ଇନିଂସରେ ୧୯୧ ରନ କରିଥିବା ଇଂଲଣ୍ଡ ଭାରତ ସାମ୍ନାରେ ୩୧୩ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ଅଧିନାୟକ ରାହୁଲ ଦ୍ରାବିଡଙ୍କ ନେତୃତ୍ଵରେ ଭାରତୀୟ ଦଳ ଏହି ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଦ୍ଵିତୀୟ ଇନିଂସରେ ରାହୁଲ ମାତ୍ର ୯ ରନ  କରିପାରିଥିଲେ। ବୀରେନ୍ଦ୍ର ସେହ୍ଵାଗ ଖାତା ବି ଖୋଲି ପାରିନଥିଲେ। ସଚିନ ତେନ୍ଦୁଲକର ୩୪ ରନ କରି ଦ୍ଵିତୀୟ ଇନିଂସରେ ଟପ୍ ସ୍କୋରର ଥିଲେ। ଯୁବରାଜ ସିଂହ ୧୨ ଏବଂ ମହେନ୍ଦ୍ର ସିଂହ ଧୋନୀ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡ ଦଳ ଏହି ମ୍ୟାଚ୍‌କୁ ୨୧୨ ରନରେ ଜିତି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.