ନୂଆଦିଲ୍ଲୀ: ଏଡସ... ଏଚଆଇଭି ସଂକ୍ରମଣ କାରଣରୁ ବ୍ୟାପୁଥିବା ଏକ ଭୟଙ୍କର ରୋଗ । ଯାହା ଥରେ ଆକ୍ରମଣ କଲେ ଆପେ ଆପେ ମଣିଷ ଶରୀରର ରୋଗପ୍ରତିରୋଧକ ଶକ୍ତି ନଷ୍ଟ ହୋଇଯାଏ । ଆଉ ଧୀରେ ଧୀରେ ମୃତ୍ୟୁ ଆଡକୁ ଠେଲିହୋଇଯାଏ ରୋଗୀ। ବଡ଼ କଥା ହେଲା ଆଜିର ସମୟରେ ମେଡିକାଲ ସାଇନ୍ସ ବେଶ୍ ଉନ୍ନତି କରିଥିଲେବି ଏହି ରୋଗକୁ ରୋକାଯାଇପାରିନାହିଁ। ଫଳରେ ଏବେବି ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଆହୁରି ପୁଣି ଏହି ରୋଗକୁ ନେଇ ରହିଥିବା ଭୁଲ ଧାରଣା ଏହି ରୋଗରୁ ମୃତ୍ୟୁ ହାର କମାଇବାରେ ସାଜୁଛି ବଡ଼ ବାଧକ। ଏମିତିରେ ଏହି ରୋଗରୁ ବର୍ତ୍ତିବା ପାଇଁ ଏବଂ ଏଡସ ବିଷୟରେ ଲୋକଙ୍କ ସଚେତନ କରିବା, ଭୁଲ ଧାରଣାକୁ ଦୂର କରିବା, ପାଇଁ ପ୍ରତି ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ ଦିବସ ଭାବରେ ପାଳନ କରାଯାଇଛି। ଚଳିତ ବର୍ଷର ଥିମ ରହିଛି World AIDS Day 2024, “Take the rights path: My health, my right’’ ।
୧୯୮୮ରେ ପ୍ରଥମ ଥର ପାଳନ ହୋଇଥିଲା ବିଶ୍ବ ଏଡସ ଦିବସ
ଏଡସ ବା ଏଚଆଇଭି ବିଷୟରେ ସମାଜରେ ଏବେବି ଅନେକ ଭୁଲ ଧାରଣ ରହିଛି । ଯାହା ଏଡସ ରୋଗକୁ ରୋକିବାରେ ବଡ଼ ବାଧକ ସାଜିଛି। ଏଡସକୁ ସମାଜରେ କୁଦୃଷ୍ଟିରେ ଦେଖାଯିବା କାରଣରୁ ଲୋକେ ଏହି ରୋଗ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇପାରିନଥାନ୍ତି । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସମାଜରେ କଳଙ୍କିତ ଦୃଷ୍ଟିରେ ଦେଖାଯାଏ। ଏମିତିରେ ଏହି ରୋଗ ବିଷୟରେ ସଚେତ ହେବା ନିହାତି ଜରୁରୀ।
ତେବେ ପ୍ରଥମ ଥର ବିଶ୍ବ ଏଡସ ଦିବସ ୧୯୮୮ ଡିସେମ୍ବର ୧ରେ ପାଳନ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୨୦୨୨ର ତଥ୍ୟ ଅନୁଯାୟୀ, ଦୁନିଆରେ ପ୍ରାୟ ୩.୬ କୋଟି ଲୋକ ଏଚଆଇଭି ସଂକ୍ରମିତ । ଏଥିରୁ ବର୍ତ୍ତିବା ପାଇଁ ଏବଂ ଏହାକୁ ରୋକିବା ପାଇଁ ଲୋକଙ୍କ ସଚେତନ ହେବାର ଆବଶ୍ୟକତା ରହିଛି। ଆଉ ଏହି ଉଦ୍ଦେଶ୍ୟରେ ବିଶ୍ବ ଏଡସ ଦିବସ ପାଳନର ଆରମ୍ଭ ହୋଇଥିଲା।
ଏହି କାରଣରୁ ବ୍ୟାପିଥାଏ ଏଡସ
ତଥ୍ୟ ଅନୁଯାୟୀ, ୨୦୨୩ରେ ଦୁନିଆରେ ଏଚଆଇଭି ସଂକ୍ରମଣରେ ପ୍ରାୟ ୬.୩୦ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ଯାହା ୨୦୦୪ରେ ତୁଳନାରେ ୬୯% କମ୍ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଡସ ବିରୋଧୀ ଲଢେଇରେ ଲୋକଙ୍କୁ ଠିକ୍ ଭାବରେ ଏବଂ ସଠିକ ତଥ୍ୟ ପହଞ୍ଚାଇବା ସବୁଠୁ ଜରୁରୀ। ହେଲେ ଭୁଲ ସୂଚନା ବଡ଼ ବାଧା ସୃଷ୍ଟି କରୁଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଏଡସ ଛୁଇଁବା, ଆଲିଙ୍ଗନ କରିବା କିମ୍ବା କାହା ସହିତ ଖାଇଲେ ଏହା ବ୍ୟାପି ନଥାଏ। ଏଚଆଇଭି କେବଳ ରକ୍ତ, ଯୌନ ସମ୍ପର୍କ, ଏବଂ ସ୍ତନ୍ୟପାନରେ ମାଆ ଠାରୁ ଛୁଆକୁ ହୋଇପାରେ। ଅବଶ୍ୟ ଗର୍ଭବତୀ ମହିଳା ଏଚଆଇଭି ସଂକମିତ ଜଣାପଡ଼ିଲେ ଔଷଧ ଦ୍ବାରା ଛୁଆକୁ ସଂକମ୍ରଣରୁ ସୁରକ୍ଷିତ କରାଯାଇପାରିବ।
ତେବେ ଏଡସରେ ଆକ୍ରନ୍ତ ହେଲେ ବି ଏଥିରୁ ରକ୍ଷା ମିଳିପାରିବ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏଚଆଇଭି ପଜିଟିଭ ବ୍ୟକ୍ତି ଆଣ୍ଟିରେଟ୍ରୋଭାଇରାଲ ଥେରାପି ସାହାଯ୍ୟରେ ଦୀର୍ଘ ଏବଂ ସୁସ୍ଥ ଜୀବନ ଜୀଇଁ ପାରିବେ। ଠିକ୍ ସମୟରେ ଔଷଧ ଖାଇବା ଏବଂ ଠିକ ଖାଦ୍ୟପେୟରେ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିବା ସହଜ ହୋଇଥାଏ ଏବଂ ରୋଗ କାରଣରୁ ହେଉଥିବା ଅସୁବିଧାକୁ କମ୍ କରାଯାଇପାରେ।