ପଞ୍ଜାବ୨୧/୨: ପୁଣି ସାମ୍ନାକୁ ଆସିଲା ସମଲିଙ୍ଗୀ ବିବାହ। ବିବାହ ବନ୍ଧନରେ ବାନ୍ଧି ହେଲେ ୨ ଯୁବକ। ସମାଜ ଓ ପରିବାର ଲୋକଙ୍କ ବିନା ଅନୁମତିରେ ଦୁଇଜଣ ବିବାହ କରିଛନ୍ତି। ହିମାଚଳ ଓ ପଞ୍ଜାବର ୨ ଯୁବକଙ୍କ ବିବାହ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨ଜଣଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲଜ୍ଜାରେ ଦୁଇଜଣଙ୍କ ପରିବାର ଲୋକଙ୍କ ମୁଣ୍ଡ ତଳକୁ ନଇଁ ଯାଇଛି।
ସୂଚନାମୁତାବକ ଏକ ଘରୋଇ କମ୍ପାନୀରେ ୨ ଜଣ ସାଙ୍ଗ ହୋଇ କାମ କରନ୍ତି। କିଛି ଦିନ ତଳେ ଦୁଇଜଣଙ୍କ ଭିତରେ ସଂପର୍କ ଗଢ଼ି ଉଠିଥିଲା। ଦୁଇଜଣ ବିବାହ କରି ଖୁସିରେ ରହିବେ। କେହି କାହାକୁ ଛାଡ଼ି ରହି ପାରିବେ ନାହିଁ। ପରିବାର ଲୋକଙ୍କ ସାମ୍ନାରେ ଦୁଇଜଣ ଯୁବକ ଏଭଳି କହିଛନ୍ତି। ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମାଆ କହିଛନ୍ତି ଯେ ଗାଁରେ କାମ କରି ବହୁ ଦୁଃଖ, କଷ୍ଟରେ ପୁଅକୁ ମଣିଷ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପରିବାର ଲୋକଙ୍କ ମୁହଁରେ କଳା ବୋଳି ଦେଇଛି। ୨ ଯୁବକଙ୍କୁ ବାରମ୍ବାର ବୁଝାଇବା ସତ୍ତ୍ବେ ନିଜ ଜିଦ୍ରେ ଅଟଳ ଥିଲେ। ସ୍ଥାନୀୟ ଜଣେ ଯୁବକ ଦୁଇଜଣଙ୍କ ବିବାହ କରୁଥିବା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ।
ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କିଛି ବୟସ୍କ ଲୋକ ଦୁଇଜଣଙ୍କୁ ବୁଝାଇଥିଲେ। ଦୁଇଜଣ ପୁଅ ପରସ୍ପର କେମିତି ବିବାହ କରିବେ? ଜଣେ ଯୁବକର ବିବାହ ପାଇଁ ଜଣେ ନାରୀର ଆବଶ୍ୟକତା ରହିଛି। ୨ ଯୁବକଙ୍କ ପରିବାର ଓ ସ୍ଥାନୀୟ ଲୋକେ ବୁଝାଇ ବୁଝାଇ ଥକିଯିବା ପରେ ବି ସେମାନେ ନିଜର ନିଷ୍ପତ୍ତି ବଦଳାଇ ନଥିଲେ।