ବିଶ୍ୱର ସବୁଠୁ କମ୍‌ ଅବଧିର ବିମାନଯାତ୍ରା, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଲାଗିଥାଏ ୧ ମିନିଟ୍‌ର ସମୟ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ ୨୪।୦୬: ସାଧାରଣତଃ ଦୂର ସ୍ଥାନରେ ଶୀଘ୍ର ପହଞ୍ଚିବା ଲାଗି ଲୋକେ ବିମାନଯାତ୍ରାକୁ ମାଧ୍ୟମ କରିଥାନ୍ତି । ସ୍ଥାନର ଦୂରତ୍ୱ ହିସାବରେ ବିମାନଯାତ୍ରାର ଅବଧି ବଢ଼ିଥାଏ । ତେବେ ଏମିତି କୌଣସି ବିମାନଯାତ୍ରା ସଂପର୍କରେ ଆପଣ ଶୁଣିଛନ୍ତି କି ଯାହାର ଅବଧି ମାତ୍ର ୧ରୁ ଦେଢ଼ ମିନିଟ୍‌ ହୋଇଥାଏ । ସ୍କଟଲାଣ୍ଡରେ ଆପଣଙ୍କୁ ଏଭଳି ଯାତ୍ରା କରିବାର ସୁଯୋଗ ମିଳିପାରିବ । ଏହି ଯାତ୍ରାକୁ ବିଶ୍ୱର ସବୁଠୁ କମ୍‌ ଅବଧିର ବିମାନଯାତ୍ରା ବୋଲି କୁହାଯାଇଥାଏ । 

ଉତ୍ତର ସ୍କଟଲାଣ୍ଡରେ ଦୁଇଟି ଦ୍ୱୀପ ୱେଷ୍ଟ୍ରେ ଓ ପାପା ୱେଷ୍ଟ୍ରେ ମଧ୍ୟରେ ଯୋଗାଯୋଗ ଲାଗି ଏହି ବିମାନଯାତ୍ରାର ବ୍ୟବସ୍ଥା ରହିଛି । ଏହି ସମୟରେ ମାତ୍ର ୨.୭ କିମି ପଥ ଅତିକ୍ରମ କରାଯାଇଥାଏ । ଏତିକି ରାସ୍ତାକୁ ଜଣେ ବ୍ୟକ୍ତି ଆରାମରେ ପାଦରେ ଚାଲି ପୂରା କରିପାରିବେ । କିନ୍ତୁ କଥା ହେଲା ଏହି ଦୁଇଟି ଦ୍ୱୀପ ମଧ୍ୟରେ ପୋଲ ନାହିଁ । ସମୁଦ୍ର ପଥରେ ଡଙ୍ଗାରେ ଯାତ୍ରା କରିବା ସମୟସାପେକ୍ଷ । ତେଣୁ ଲୋକେ ବିମାନଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି । ୧୯୬୭ ମସିହାରେ ସେଠାରେ ପ୍ରଥମେ ବ୍ୟାବସାୟିକ ବିମାନସେବା ଆରମ୍ଭ ହୋଇଥିଲା । ସେବେଠାରୁ ସ୍କଟଲାଣ୍ଡର ଏକ ଏୟାରଲାଇନ୍ସ ଲୋଗାନୈର ତାକୁ ପରିଚାଳନା କରୁଛି । ସେଠାରେ ଯାତ୍ରୀମାନଙ୍କୁ ଗୋଟିଏ ଛୋଟ ବିମାନରେ ବସାଯାଇଥାଏ । ବିମାନରେ ଜଣେ ମାତ୍ର ପାଇଲଟ ରହୁଥିବାବେଳେ ଯାତ୍ରୀଙ୍କ ଲାଗି ୮ଟି ଆସନ ରହିଛି । ସାଧାରଣ ପାଗରେ ଏହି ଯାତ୍ରା କରିବା ଲାଗି ଅତି ବେଶୀରେ ୯୦ ସେକେଣ୍ଡ ଲାଗିଥାଏ । କିନ୍ତୁ ପାଗ ଭଲଥିଲେ ଏହି ଯାତ୍ରା ମାତ୍ର ୫୩ ସେକେଣ୍ଡରେ ପୂରା ହୋଇଥାଏ । 

ସେହିଭଳି ପାଗ ଖରାପ ଥିଲେ ୩ ମିନିଟ୍‌ ଯାଏ ସମୟ ଲାଗିପାରେ । ଯାତ୍ରା ବାବଦରେ ଏଠାକାର ଲୋକେ ଭାରତୀୟ ମୁଦ୍ରାରେ ପ୍ରାୟ ୧,୩୯୯ ଟଙ୍କା ପଇଠ କରନ୍ତି । ଦୁଇଟି ଯାକ ଦ୍ୱୀପରେ ମୋଟ ୬୦୦-୭୦୦ ଲୋକ ରହିଥାନ୍ତି । ଦ୍ୱୀପର ବାସିନ୍ଦାମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ ହେଲା ପର୍ଯ୍ୟଟନ । ଗରମ ଦିନରେ ୱେଷ୍ଟ୍ରେ ବୁଲିବାକୁ ଓ ସବୁଠୁ କମ୍‌ ଅବଧିର ବିମାନଯାତ୍ରାର ମଜା ନେବାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି । ସେଠାରୁ ସେମାନେ ପାପା ୱେଷ୍ଟ୍ରେ ଦ୍ୱୀପ ଯାଇଥାନ୍ତି । ସେପଟେ ଅତି କମ୍‌ ଦୂରତା ଅତିକ୍ରମ କରୁଥିବା ଯୋଗୁ କିଛି ଲୋକେ ଏହି ବିମାନଯାତ୍ରାକୁ ସମାଲୋଚନା କରିଥାନ୍ତି । ପରିବେଶ ଲାଗି ଏହା ଏକ ଅନାବଶ୍ୟକ ବୋଝ ବୋଲି ସେମାନେ ଦର୍ଶାଇଥାନ୍ତି । କିନ୍ତୁ ୱେଷ୍ଟ୍ରେ ଓ ପାପା ୱେଷ୍ଟ୍ରେର ବାସିନ୍ଦାଙ୍କ ଲାଗି ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଛି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.