World Population: ୧୯୫୦ରୁ ୨୦୨୨ ମସିହା ମଧ୍ୟରେ ତିନି ଗୁଣ ବଢିଛି ବିଶ୍ୱ ଜନସଂଖ୍ୟା, ୨୦୮୦ରୁ କମିବ

Published By : Prameya-News7 Bureau | November 15, 2022 IST

ନୂଆଦିଲ୍ଲୀ: ମଙ୍ଗଳବାର ନଭେମ୍ୱର ୧୫ରେ ଦୁନିଆର ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିଛି । ଏହିପରି ଗତ ୭୨ ବର୍ଷରେ ଦୁନିଆର ଜନସଂଖ୍ୟା ତିନି ଗୁଣ ଅଧିକ ହୋଇଛି । ୧୯୫୦ ମସିହାରେ ଦୁନିଆର ଜନସଂଖ୍ୟା କେବଳ ୨.୫ ବିଲିୟନ ଥିଲା । ମିଳିତ ଜାତିସଂଘର ଅନୁମାନ ଯଦି ଜନସଂଖ୍ୟା ବୃଦ୍ଧିର ଏହି ହାର ଜାରି ରୁହେ ତେବେ ୨୦୩୦ ସୁଦ୍ଧା ଦୁନିଆର ଜନସଂଖ୍ୟା ସାଢେ ୮ ବିଲିୟନ ଏବଂ ୨୦୫୦ ସୁଦ୍ଧା ୯ ବିଲିୟନ ୭୦ କୋଟିରେ ପହଞ୍ଚିବ । ଯଦି ଏହି ହାର ଜାରି ରୁହେ ତେବେ ୨୧୦୦ ସୁଦ୍ଧା ଦୁନିଆର ଜନସଂଖ୍ୟା ୧୦ ବିଲିୟନ ୪୦ କୋଟିରେ ପହଞ୍ଚିବ ।

ତେବେ ମିଳିତ ଜାତିସଂଘର ଦାବି ଅନୁସାରେ, ଦୁନିଆରେ ଜନସଂଖ୍ୟା ବୃଦ୍ଧି ହାର କମୁଛି । ତେବେ ୨୦୮୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ନିଜ ଚରମରେ ପହଞ୍ଚିଯିବ । ଏହା ପରେ ଜନସଂଖ୍ୟାରେ ହ୍ରାସ ଘଟିବା ଆରମ୍ଭ ହେବ । ତେବେ ଦୁନିଆର ୬୧ଟି ଦେଶର ଜନସଂଖ୍ୟାରେ ୨୦୫୦ ସୁଦ୍ଧା ଏକ ପ୍ରତିଶତ ହ୍ରାସ ଘଟିବ । ଜନସଂଖ୍ୟାର ସବୁଠୁ ଅଧିକ ହ୍ରାସ ଲାତଭିୟା, ବୁଲଗାରିଆ, ସର୍ଭିଆ, ଲିଥୁଆନିଆ ଏବଂ ୟୁକ୍ରେନରେ ଘଟିପାରେ । ଏହି ଦେଶ ଗୁଡିକରେ ଜନସଂଖ୍ୟା ବର୍ତ୍ତମାନ ତୁଳନାରେ ୨୦ ପ୍ରତିଶତ ଯାଏଁ କମିପାରେ ।

ଜନସଂଖ୍ୟା ବୃଦ୍ଧି ପଛର ଏକ ପ୍ରମୁଖ କାରଣ ହେଉଛି ଲୋକଙ୍କ ଜୀବନ ଆୟୁଷ ବଢିବା । ୨୦୧୯ ମସିହାରେ ଦୁନିଆରେ ହାରାହାରି ବୟସ 7୨ ବର୍ଷ ଥିଲା। ୧୯୯୦ ମସିହା ତୁଳନାରେ ଏହା ୯ ବର୍ଷ ଅଧିକ । ୨୦୫୦ ସୁଦ୍ଧା ହାରାହାରି ବୟସ ବଢି ୭୭ ବର୍ଷ ହେବା ନେଇ ଅନୁମାନ କରାଯାଉଛି । କୋଭିଡ ମହମାରୀ ଯୋଗୁଁ ୨୦୨୧ରେ ଏଥିରେ ଗୋଟିଏ ବର୍ଷ କମ ହୋଇଛି । ଗତ ବର୍ଷ ଏହା ୭୧ ବର୍ଷ ଥିଲା । ବିଭିନ୍ନ ଦେଶରେ ହାରାହାରି ଆୟୁଷ ଭିନ୍ନ ଭିନ୍ନ ରହିଥାଏ । ଧନୀ ଦେଶ ତୁଳନାରେ ଗରିବ ଦେଶର ଲୋକେ ୭ ବର୍ଷ କମ ବଞ୍ଚିଥାନ୍ତି । ମିଳିତ ଜାତିସଂଘ ଅନୁସାରେ ୨୦୫୦ ସୁଦ୍ଧା ୬୫ ବର୍ଷରୁ ଅଧିକ ବୟସ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬ ପ୍ରତିଶତ ହୋଇଯିବ । ବର୍ତ୍ତମାନ ସମୟରେ ଏହା ୧୦ ପ୍ରତିଶତ ଅଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.