ଦୁନିଆ ବଦଳି ଗଲାଣି, ସିବିଆଇକୁ ବି ବଦଳିବା ଉଚିତ୍, ଜାଣନ୍ତୁ ସୁପ୍ରିମକୋର୍ଟ ଏମିତି କାହିଁକି କହିଲେ
5/12/2022 at 11:37 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଡିଜିଟାଲ୍-ଇଲେକ୍ଟ୍ରୋନିକ ଉପକରଣ ଜବତ, ଯାଞ୍ଚ ଖୋଳତାଡ ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ତଦନ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦେବା ଦାବିରେ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ ବିଚାରପତି କହିଛନ୍ତି ଦୁନିଆ ବଦଳି ଗଲାଣି ଏବଂ ସିବିଆଇକୁ ମଧ୍ୟ ବଦଳିବା ଉଚିତ୍। ଆବେଦନକାରୀଙ୍କ ପକ୍ଷରୁ ହାଜର ଓକିଲ କହିଛନ୍ତି, ବ୍ୟକ୍ତିଗତ ପ୍ରସଙ୍ଗରେ ଯାଞ୍ଚ ଏଜେନ୍ସି ପାଇଁ ନିୟମାବଳୀ ସ୍ଥିର କରାଯାଉଛି। ଜଷ୍ଟିସ୍ ଏସକେ କୌଲ ଏବଂ ଜଷ୍ଟିସ୍ ଏଏସ ଓକାଙ୍କ ପୀଠ କହିଛନ୍ତି, ସିବିଆଇର ନିୟମାବଳୀକୁ ନବୀକରଣ କରାଯିବାର ଆବଶ୍ୟକତା ରହିଛି।
ଜଷ୍ଟିସ କୌଲ କହିଛନ୍ତି, ଦୁନିଆ ବଦଳୁଛି ଏବଂ ସିବିଆଇକୁ ବଦଳିବା ଉଚିତ୍। ଜଷ୍ଟିସ ଓକା ମଧ୍ୟ କହିଛନ୍ତି, ସେ ସିବିଆଇର ନିୟମାବଳୀ ଦେଖିଛନ୍ତି ଏବଂ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଏହି ବିଷୟରେ ଗତ ମାସରେ ଦାଖଲ ନିଜର ସତ୍ୟପାଠରେ କହିଥିଲେ ଯେ, ଆଇନ ଲାଗୁ କରିବା ଏବଂ ଅପରାଧ ସଂପର୍କିତ ସମସ୍ତ ପ୍ରସଙ୍ଗ ଉପରେ ଅଭିଯୋଗ ଶୁଣିବା ଏବଂ ପ୍ରସ୍ତାବ ଦେବା ହିଁ ଉଚିତ୍ ହେବ। କାରଣ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟ ସୂଚୀର ବିଷୟ।
କେନ୍ଦ୍ର ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ସୋମବାର ଅଦାଲତରେ ଉପସ୍ଥିତ ହୋଇଥିଲେ। ରାଜୁ ଅଦାଲତକୁ କହିଛନ୍ତି ଯେ, ସେ ଏକ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହି ପ୍ରସଙ୍ଗର ଶୁଣାଣି ପାଇଁ ମଙ୍ଗଳବାର, ବୁଧବାର କିମ୍ବା ଗୁରୁବାର କୌଣସି ଦିନ ନିର୍ଦ୍ଧାରିତ କରନ୍ତୁ। ପୀଠ ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଫେବୃଆରୀ ୭ ନିର୍ଦ୍ଧାରଣ କରିଛନ୍ତି।