ସଚିନଙ୍କୁ ଯେଉଁ ରେକର୍ଡ କରିବାକୁ ଲାଗିଗଲା ୪୪୨ ଦିନିକିଆ, ସେହି ସଫଳତା ୧୦ମ ମ୍ୟାଚ୍ରେ ହାସଲ କଲେ ଇଶାନ କିଷନ
10/12/2022 at 4:43 PM

ନୂଆଦିଲ୍ଲୀ: ଇଶାନ କିଷନ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ଦ୍ଵିଶତକ ହାସଲ କରିଛନ୍ତି। ୨୪ ବର୍ଷୀୟ ଇଶାନ ଚଟ୍ଟଗାଓଁରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୨୧୦ ରନର ବିଶାଳ ଇନିଂସ ଖେଳିଛନ୍ତି। ସବୁଠୁ ବଡ କଥା ଇଶାନ କିଷନ ମାତ୍ର ୧୦ମ ଦିନିକିଆରେ ଏହି ମାଇଲଷ୍ଟୋନ ଛୁଇଁବାରେ ସଫଳ ହୋଇଛନ୍ତି। ଏହି ଉପଲବ୍ଧି ହାସଲ କରିବା ପାଇଁ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ୪୪୨ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିଥିଲା। ବିହାର ଜନ୍ମିତ ଇଶାନ କିଷନ ଘରୋଇ କ୍ରିକେଟ୍ରେ ଝାଡଖଣ୍ଡ ପକ୍ଷରୁ ଖେଳନ୍ତି।
୨୦୨୧ରେ ଇଶାନ କିଷନ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ତେବେ ବରିଷ୍ଠ ଖେଳାଳିଙ୍କ ଉପସ୍ଥିତିରେ ତାଙ୍କୁ କମ ଖେଳିବାକୁ ସୁଯୋଗ ମିଳିଛି। ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଦିନିକିଆରେ ରୋହିତ ଶର୍ମା ଆହାତ ହୋଇ ସିରିଜ୍ରୁ ବାଦ୍ ପଡିବାରୁ ଇଶାନଙ୍କ ଭାଗ୍ୟ ଚମକି ଉଠିଛି। କ୍ରିକେଟ୍ରେ ସର୍ବଦା କୁହାଯାଏ ଯେ, ଜଣେ ଖେଳାଳି ବାଦ୍ ପଡିଲେ ଅନ୍ୟ ଖେଳାଳିଙ୍କ ପାଇଁ ବଡ ସୁଯୋଗ ଆଣିଦିଏ। ଆଉ ଏଥର ଏହି ସୁଯୋଗ ଇଶାନ କିଷନଙ୍କୁ ମିଳିଥିଲା। ଆଉ ଏହି ଯୁବ ବ୍ୟାଟର ଏହି ସୁଯୋଗର ଖୁବ୍ ଫାଇଦା ଉଠାଇଛନ୍ତି।
ତୃତୀୟ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନର ଶିଖର ଧାଓ୍ଵନ(୩)ଙ୍କ ସଅଳ ଓ୍ଵିକେଟ୍ ହରାଇଥିଲା। ମାତ୍ର କ୍ରିଜର ଅନ୍ୟ ପାର୍ଶ୍ଵରେ ଥିବା ଇଶାନ କିଷନ ଧୂଆଁଧାର ବ୍ୟାଟିଂ କରିଥିଲେ। ଧାଓ୍ଵନଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମଧ୍ୟ ଦମଦାର ଇନିଂସ ଖେଳିଛନ୍ତି।
ଇଶାନ କିଷନ ୧୩୧ ବଲ୍ରୁ ୨୧୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଏଥିରେ ୨୪ ଚୌକା ଏବଂ ୧୦ ଛକା ସାମିଲ୍। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୦.୩୦ ରହିଛି। ଇଶାନ ଏହା ପୂର୍ବରୁ ନଅଟି ଦିନିକିଆରେ ୩୩.୩୭ ହାରରେ ୨୬୭ ରନ କରିଥିଲେ। ଏହି ରେକର୍ଡ ପୂର୍ବରୁ ଦିନିକିଆରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୩ ରନ ଥିଲା। ଇଶାନ ଆଜିର ମ୍ୟାଚ୍ରେ ବିରାଟ କୋହଲିଙ୍କ ସହ ମିଶି ୨୯୦ ରନର ଭାଗିଦାରୀ ଯୋଡିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ରେ ଇଶାନ କିଷନ ସର୍ବକନିଷ୍ଠ ବ୍ୟାଟର ଭାବେ ଦ୍ଵିଶତକ ଅର୍ଜନ କରିବାର ରେକର୍ଡ କରିଛନ୍ତି। ଦିନିକିଆରେ ପ୍ରଥମ ଦ୍ଵିଶତକ ହାସଲ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ତେନ୍ଦୁଲକର ୨୦୨୦ ଫେବୃଆରୀ ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନର ଇନିଂସ ଖେଳିଥିଲେ। ଏହା ଦିନିକିଆ ଇତିହାସରେ ପ୍ରଥମ ଦ୍ଵିଶତକ ଥିଲା।