ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ହେଲେ 'ସାମନା'ର ସମ୍ପାଦିକା...

Published By : Prameya-News7 Bureau | March 03, 2020 IST

ମହାରାଷ୍ଟ୍ର୩/୩:  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଉଦ୍ଧବ ଠାକରେଙ୍କ ରାଜନୀତି ପ୍ରବେଶ ଏବେ ସ୍ପଷ୍ଟ ହେବାକୁ ଯାଉଛି। ଶିବସେନାର ଫାଷ୍ଟ ଲେଡି ରଶ୍ମି ଉଦ୍ଧବ ଠାକେରଙ୍କୁ ଦଳର ମୁଖପତ୍ର 'ସାମନା' ସମ୍ପାଦିକା ଦାୟିତ୍ବ ଦିଆଯାଇଛି। ୨୩ ଜାନୁୟାରୀ ୧୯୯୮ ରେ ବାଲ ଠାକରେଙ୍କ ଦ୍ବାରା 'ସାମନା'ର ପ୍ରକାଶନ ଆରମ୍ଭ ହୋଇଥିଲା। ବାଲ ଠାକରେ ଏହାର ପ୍ରତିଷ୍ଠାତା ସମ୍ପାଦକ ହୋଇଥିଲେ। ଏବେ ସାମନାର ସମ୍ପାଦକ ହେବା ପରେ ଏହା ଅନୁମାନ କରାଯାଉଛି ଯେ, ଏହା ରଶ୍ମୀ ଠାକରେଙ୍କ ରାଜନୀତିରେ ପ୍ରବେଶ କରିବା ପାଇଁ ପ୍ରଥମ ପଦକ୍ଷେପ।

ରଶ୍ମି ଏବେ ସାମନା କାର୍ଯ୍ୟାଳୟରେ ବସିବେ। ଯଦିଓ ଏହା ଅଣ ରାଜନୈତିକ ପଦବୀ ବୋଲି କୁହାଯାଏ। କିନ୍ତୁ ଶିବସେନା ସଂପର୍କରେ ଜାଣିଥିବା ସମସ୍ତେ ସାମନା ସମ୍ପାଦକଙ୍କ ଗୁରୁତ୍ବ ଉପଲବ୍ଧି କରନ୍ତି। ସେନା ଭବନକୁ ନିଜ ନିୟନ୍ତ୍ରଣରେ ରଖିଥିବା ଉଦ୍ଧବଙ୍କ ପରିବାର ଏବେ ଆହୁରି ସକ୍ରିୟ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ ଅନେକ ସମୟରେ ଶିବସେନାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ ପଦକ୍ଷେପରେ ନୈପଥ୍ୟରେ ଥାଇ ମଧ୍ୟ ବଡ଼ ଭୂମିକା ନେଇଛନ୍ତି।

ବିଶେଷ କରି ବାଲ ଠାକରେଙ୍କ ଉତ୍ତରାଧିକାରୀ ଚୟନ ବିବାଦ ଉଦ୍ଧବ ବନାମ ରାଜ ଠାକରେ ସମୟରେ ରଶ୍ମିଙ୍କ ଭୂମିକା ରାଜନୈତିକ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଥିଲା। ରଶ୍ମିି ଠାକରେଙ୍କ ତାଙ୍କ ଶାଶୂ ତଥା ବାଲ ଠାକରେଙ୍କ ପତ୍ନୀ ମିନତୀ ଠାକରେଙ୍କ ଭଳି ଦଳୀୟ କାର୍ଯ୍ୟାକ୍ରମରେ ଦୂରେଇ ରହୁଥିଲେ ବି ଦଳୀୟ ପୋଷ୍ଟରରେ କିନ୍ତୁ ତାଙ୍କର ଫଟୋ ରହୁଥିଲା। ଅନେକ ସଂକଟ ସମୟରେ ସେ କ୍ରାଇସିସ୍‌ ମ୍ୟାନେଜର ଭଳି କାର୍ଯ୍ୟ କରିଛନ୍ତି। ତେବେ ପୂର୍ବରୁ ଠାକରେ ପରିବାରର ଘରୋଇ କଥା ବୁଝୁଥିବା ରଶ୍ମି ଠାକରେ ଏବେ ସାମନା ସାମ୍ପାଦିକା ଭାବେ ପରୋକ୍ଷରେ ହେଲେ ବି ସଂଗଠନ ଉପରେ ନଜର ରଖିବା ସହ ରାଜନୀତି ସହ ସଂପୃକ୍ତ ହେବେ। ତେଣୁ ସାମନା ଜରିଆରେ ଏହା ରଶ୍ମି ଉଦ୍ଧବ ଠାକରେଙ୍କ ରାଜନୀତି ପ୍ରବେଶ ବୋଲି ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.