ଲାଞ୍ଚ ଦେଇ ପାରିଲେନି ବୋଲି ମଞ୍ଜୁର ପରେ ବି ଦେଲେନି କାର୍ଯ୍ୟାଦେଶ, ୪ ଝିଅଙ୍କୁ ଧରି ପାଇଖାନାରେ ରହୁଛନ୍ତି ବିଧବା ମହିଳା...

Published By : Prameya-News7 Bureau | March 04, 2020 IST

କେନ୍ଦୁଝର୪।୩: ମାଳ ମାଳ ସରକାରୀ ଯୋଜନା। ସେଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ହେଲେ ଅସହାୟ ବିଧବା ମହିଳା ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଚାରି କନ୍ୟା ସନ୍ତାନଙ୍କୁ ସାଙ୍ଗ ଧରି ପାଇଖାନାରେ ଦିନ କାଟୁଛନ୍ତି। ହେଲେ ଦୁର୍ଭାଗ୍ୟର କଥା, ସେ ୧୦ ହଜାର ଟଙ୍କା ଲାଞ୍ଚ ଦେଇ ନପାରିବାରୁ ମଞ୍ଜୁର ହୋଇଥିବା ଘରର କାର୍ଯ୍ୟାଦେଶ ଫେରାଇ ନିଆଗଲା। ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ମହିଳା ରଇବାରୀ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି।

ଜିଲ୍ଲାପାଳଙ୍କ ନିକଟରେ ଏମିତି ଅଭିଯୋଗ କରିବା ପରେ ମଧ୍ୟ ରଇବାରୀଙ୍କ ଦୁଃଖ ହଟି ନଥିବା ଚର୍ଚ୍ଚାର ବିଷୟ ହୋଇଛି । ପଞ୍ଚାୟତ ମୁଖ୍ୟାଳୟରୁ ମାତ୍ର ୨ କିମି ଏବଂ ସଦର ମହକୁମାର ଠାରୁ ୪ କିମି ଦୂରରେ ଅଭାଗିନୀ ବିଧବା ରଇବାରୀ ପିଲାଛୁଆଙ୍କୁ ନେଇ ମାସ ପରେ ମାସ ପାଇଖାନା ଘରେ ଦିନ କାଟୁଛନ୍ତି । ପ୍ରଶାସନ ଅଯୋଗ୍ୟ ଲୋକଙ୍କୁ ଗୃହ ଯୋଗାଇ ଦେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଛନ୍ତି । ପଞ୍ଚାୟତିରାଜ ବିଭାଗ ୫-ଟିରେ ସାମିଲ ହେବା ପରେ ମଧ୍ୟ ଲୋକଙ୍କୁ ନ୍ୟାୟ ମିଳୁ ନଥିବା ଆହୁରି ଦୁର୍ଭାଗ୍ୟର ବିଷୟ ବୋଲି ଅଭିଯୋଗ ହେଉଛି ।

ରାଙ୍କି ଗ୍ରାମର ମୁଣ୍ଡାସାହିରେ ପ୍ରାୟ ୫୦ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ଲୋକେ ବାସ କରୁଛନ୍ତି । ପଦିଆ ମୁଣ୍ଡା ନାମକ ଜଣେ ଯୁବକ ତାଙ୍କ ପତ୍ନୀ ରଇବାରୀ ଏବଂ ୪ କନ୍ୟା ସନ୍ତାନକୁ ନେଇ ଏହି ଅଞ୍ଚଳରେ ବସବାସ କରୁଥିଲେ । ୨ ବର୍ଷ ତଳେ ପଦିଆ କୌଣସି କାରଣରୁ ଆନନ୍ଦପୁର ଅଞ୍ଚଳକୁ ଯାଇଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ସ୍ବାମୀ ମୃତ୍ୟୁ ସମୟରେ ସବୁଠାରୁ ସାନ ଝିଅ ୨ ମାସର ହୋଇଥିଲା । ବଡ଼ଝିଅର ଏବେ ବୟସ ୫ ବର୍ଷ ।

୨ୟ ସନ୍ତାନ ଯମଜ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କର ବୟସ ୪ବର୍ଷ। ସ୍ବାମୀଙ୍କ ରୋଜଗାରରେ ପରିବାର ଚଳୁଥିଲା । ହଠାତ୍‌ ପଦିଆଙ୍କ ଅପମୃତ୍ୟୁ ପରେ ୪ ସନ୍ତାନଙ୍କ ବୋଝ କେବଳ ରଇବାରୀଙ୍କ ଉପରେ ପଡ଼ିଥିଲା । କୁନି କୁନି ୪ ପିଲାଙ୍କୁ ଲାଳନପାଳନ କରିବା କାଠିକର ହୋଇ ପଡ଼ିଥିବାରୁ ମୂଲ ଲାଗିବା ସମ୍ଭବ ହେଉ ନଥିଲା । ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଥିବା ଏହି ପରିବାର ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ କିଲୋ ରିହାତି ଚାଉଳ ପାଉଥିଲେ । ପଦିଆଙ୍କ ମୃତ୍ୟୁ ପରେ ପ୍ରଶାସନ ୫ କିଲୋ ଚାଉଳ କାଟି ଦେଇଥିଲା ।

ରୋଜଗାର ନଥିବାରୁ ଭଙ୍ଗା ଦଦରା ଘର ମରାମତି କରି ନ ହୋଇପାରି ମାଟିରେ ମିଶି ଯାଇଥିଲା । ଫଳରେ ୫ ପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସୁବିଧା ନଥିବାରୁ ସ୍ୱଚ୍ଛ ଭାରତ ଅଭିଯାନ ପାଇଖାନା ହିଁ ସେମାନଙ୍କୁ ଦେଇଛି ଆଶ୍ରୟ । ବର୍ଷା ହେଲେ ପରପିଣ୍ଡାରେ ସେମାନେ ଆଶ୍ରୟ ନେଇଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ପାଇଖାନା ସାମ୍ନାରେ ରୋଷେଇ କରିବା ପରେ ଏକାଠି ପେଜତୋରାଣୀ ହୋଇଛି ଶିଶୁଙ୍କ ଆହାର । ରନ୍ଧା ଖାଦ୍ୟ ବଳିଲେ ରଇବାରୀ ପେଟକୁ ଦାନା ଯାଇଥାଏ । ବିଧବା ଭତ୍ତା ପାଇଁ ଅନେକ ଗୁହାରୀ କରି ସେ ସଫଳ ହୋଇପାରିନାହାନ୍ତି ବୋଲି ରଇବାରୀ କହିଛନ୍ତି ।

ଏନେଇ ଖବର ପ୍ରକାଶ ପରେ ସଦର ବ୍ଲକର ତତ୍କାଳୀନ ଭାରପ୍ରାପ୍ତ ବିଡିଓ ଭାଗବତ ନାଏକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ ନିର୍ଦ୍ଦେଶ ଦେଇଥିଲେ । ବିଡିଓ ଖବର ପ୍ରକାଶ ପାଇବାର ପରଦିନ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରକୃତରେ ରଇବାରୀ ପାଇଖାନାରେ ରହୁଥିବା ରିପୋର୍ଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଦିଆଯାଇଥିଲା ।

 ପ୍ରାୟ ମାସେ ତଳେ ପଞ୍ଚାୟତ ପକ୍ଷରୁ ଏଥିନେଇ ରଇବାରୀଙ୍କୁ ସୂଚନା ଦିଆଯାଇଥିଲା । ମାଗଣା ଗୃହ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଆକାରରେ ମଗାଯାଇଥିଲା । ହେଲେ ଟଙ୍କା ଦେଇ ନପାରିବାରୁ ଘର ଫେରି ଯାଇଥିବା ରଇବାରୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏପଟେ ଆବାସ ଯୋଜନାର ଟାର୍ଗେଟ୍‌ ପୂରଣ କରିବାରେ ପ୍ରଶାସନ ବିଫଳ ହେଉଥିବା ବେଳେ ସେପଟେ ଯୋଗ୍ୟ ହିତାଧିକାରୀ ମୁଣ୍ଡ ଗୁଞ୍ଜିବାକୁ ପାଇଖାନା ଉପରେ ଭରସା କରିବା ନିଶ୍ଚୟ ପରିତାପର ବିଷୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.