ୟୁକ୍ରେନରେ ସମାପ୍ତ ହେବ କି ଯୁଦ୍ଧ ! ବାଇଡେନଙ୍କ ପରେ ପୁଟିନ୍ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ...

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: କଣ ୟୁକ୍ରେନରେ ଗତ ନଅ ମାସ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟିବ ?  ଗତ ଦୁଇ ଦିନର ଘଟଣାକ୍ରମକୁ ଦେଖିଲେ ଏମିତି ଲାଗୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ପରେ କହିଥିଲେ ଯେ, ଯଦି ପୁଟିନ୍ ଯୁଦ୍ଧ ସମାପ୍ତ କରିବାକୁ ଚାହାନ୍ତି ତେବେ ସେ ତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଏବେ ତାଙ୍କର ଏହି ଟିପ୍ପଣୀ ଉପରେ କ୍ରେମଲିନ(ରୁଷ ରାଷ୍ଟ୍ରପତି ଭବନ)ରୁ ଆସିଛି ସକରାତ୍ମକ ଉତ୍ତର। ରୁଷ ରାଷ୍ଟ୍ରପତିଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ୟୁକ୍ରେନ ସଙ୍କଟର କୌଣସି ସମାଧାନର ରାସ୍ତା ବାହାରେ ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ।  ଏହା ପୂର୍ବରୁ ବାଇଡେନ୍ କହିଥିଲେ, ୟୁକ୍ରେନ ସଙ୍କଟର ଗୋଟିଏ ସମାଧାନ ପୁଟିନ୍ ନିଜ ସୈନିକଙ୍କୁ ପ୍ରତ୍ୟାହାର କରି ନିଅନ୍ତୁ।

ଏହା ବ୍ୟତୀତ ବାଇଡେନ୍ କହିଥିଲେ ଯଦି ଭ୍ଲାଦିମିର ପୁଟିନ୍ ସୈନିକ ପ୍ରତ୍ୟାହାର କରିବେ ଏବଂ ଆଲୋଚନା କରିବାକୁ ରାଜି ତେବେ ମୁଁ ମଧ୍ୟ ପ୍ରସ୍ତୁତ ଅଛି। ଏହି ପରିପ୍ରେକ୍ଷୀରେ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ଭ୍ଲାଦିମିର ପୁଟିନ୍ ସର୍ବଦା ଆଲୋଚନା କରିବାକୁ ତତ୍ପର, ମାତ୍ର ରୁଷ ୟୁକ୍ରେନରୁ ପଛକୁ ହଟିବ ନାହିଁ। ଆମ ରାଷ୍ଟ୍ରପତି ସର୍ବଦା ଆଲୋଚନା କରିବାକୁ ପ୍ରସ୍ତୁତ। ସର୍ତ୍ତ ରୁଷର ହିତ ଯେମିତି ପ୍ରଭାବିତ ନହୁଏ। ଭ୍ଲାଦିମିର ପୁଟିନ୍ କହିଛନ୍ତି, ତାଙ୍କୁ ୟୁକ୍ରେନ ଉପରେ ଆକ୍ରମଣ କରିବାରେ କୌଣସି ଅବଶୋଷ ନାହିଁ। ତାଙ୍କ  କହିବା କଥା ପାଶ୍ଚାତ୍ୟ ଦେଶଗୁଡିକର ପ୍ରଭାବକୁ ଚ୍ୟାଲେଞ୍ଜ ଦେବା ପାଇଁ ଏମିତି ପଦକ୍ଷେପ ନେବାକୁ ପଡିଲା।

ପୁଟିନ୍‌ଙ୍କ ଅନୁଯାୟୀ ୧୯୯୧ରେ ସୋଭିଏତ ସଂଘର ବିଘଟନ ପରେ ପାଶ୍ଚାତ୍ୟ ଦେଶ ରୁଷର ସୁରକ୍ଷା, ସାର୍ବଭୌମତ୍ଵ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ ଦେଇ ଆସିଛନ୍ତି। ଅନ୍ୟପଟେ ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶର କହିବା କଥା ପୁଟିନ୍‌ ୟୁକ୍ରେନ ଉପରେ ଆକ୍ରମଣକୁ କୌଣସି ପ୍ରକାରେ ସଠିକ୍ ଦର୍ଶାଇ ପାରିବେ ନାହିଁ। ଅପରପକ୍ଷେ ୟୁକ୍ରେନର କହିବା କଥା ରୁଷର ଶେଷ ସୈନିକ ତାଙ୍କ ଅଞ୍ଚଳରୁ ନହଟିବା ଯାଏଁ ଲଢେଇ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.