ଛାତିଏ ପାଣିରେ ନାଳ ଅତିକ୍ରମ ପରେ ମଶାଣିକୁ ଗଲା ଶବ
20/08/2022 at 11:47 PM

ଚନ୍ଦାହାଣ୍ଡି ୨୦/୦୮: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଅଭାବନୀୟ ଦୃଶ୍ୟ। ଅନକାବେଡା ପଞ୍ଚାୟତ ଅଧୀନ ଚକାମାଳ ଗାଁରେ ରାମ ସୁନାନୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ବର୍ଷା ଓ ବନ୍ୟା ସତ୍ତ୍ୱେ ମଧ୍ୟ ତାଙ୍କ ମରଶରୀରକୁ ସଂସ୍କାର କରିବା ପାଇଁ ମଶାଣିକୁ ନିଆଯାଇଥିଲା। କିନ୍ତୁ ଗାଁରେ ଥିବା ଏକ ନାଳ ଆରପଟେ ମଶାଣିଟି ଥିବାରୁ ଅତି କଷ୍ଟର ସହିତ ବନ୍ଧୁବାନ୍ଧବମାନେ ଶବକୁ ଛାତିଏ ପାଣିରେ ନାଳ ପାର କରି ମଶାଣିରେ ପହଞ୍ଚାଇଥିଲେ। ପରେ ତାଙ୍କର ଶବ ସତ୍କାର କରାଯାଇଛି।
ଗାଁର ଏହି ନାଳରେ ୮୦ ଦଶକରେ ତତକାଳିନ ଅନକାବେଡା ସରପଞ୍ଚଙ୍କ ଦ୍ୱାରା ଏକ ଛୋଟ ପୋଲ ନିର୍ମାଣ କରାଯାଇ ଥିଲାl ବର୍ତ୍ତମାନ ଏହା ଭାଙ୍ଗି ଯାଇଛି। ନାଳରେ ବେଶୀ ପାଣି ଆସିଲେ ପୋଲ ଉପରେ ୩ ରୁ ୪ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଅନକାବେଡା ପଞ୍ଚାୟତ ସଦର ଏବଂ ଚକମାଲ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇ ପଡିଥାଏ l ପଞ୍ଚାୟତ କାର୍ଯ୍ୟାଳୟରେ କାମ ପଡିଲେ ଲୋକଙ୍କୁ ୫ କିମି ବୁଲିକି ଯିବାକୁ ପଡ଼ିଥାଏ। ନୂଆ ପୋଲ ତିଆରି ହେବ କହି ପ୍ରଶାସନିକ ଅଧିକାରୀମାନେ କେବଳ ମାପଚୁପ କରି କାମ ସାରିଦେଉଛନ୍ତି ବୋଲି ଗାଁ ଲୋକମାନେ କହିଛନ୍ତି। ଏ ବିଷୟରେ ଲୋକ ପ୍ରତିନିଧି ଏବଂ ଅଧିକାରୀମାନଙ୍କୁ ଯେତେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l