ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ, ବ୍ରାହ୍ମଣୀ ନଦୀରେ ସଂରକ୍ଷିତ ଟାପୁ ଜାଗାକୁ ନେଇ ତାତିଲେ ଲୋକେ

Published By : Prameya-News7 Bureau | October 21, 2022 IST

ଢେଙ୍କାନାଳ: ଦୀର୍ଘ ବର୍ଷ ଧରି ଜଗି ରଖି ଚାଷରୁ ଗାଁର ଉନ୍ନତି ମୂଳକ କାର୍ଯ୍ୟରେ ଲଗାଉଥିବା ବ୍ରହ୍ମଣୀନଦୀର ଟାପୁ ଜାଗାକୁ ନେଇ ଆକ୍ରୋଶିତ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ପଂଚାୟତବାସୀ । ଗନ୍ଦିଆ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ପଂଚାୟତର ବ୍ରାହ୍ମଣୀ ବାଡ଼ି ଗ୍ରାମବାସୀ ପ୍ରତିବାଦ କରିବାକୁ ଯାଇ ଢେଙ୍କାନାଲ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।  ଯାହାକୁ ନେଇ ଶୁକ୍ରବାର ଢେଙ୍କାନାଲ ଜିଲ୍ଲାପାଳଙ୍କ ଅଫିସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଟାଉନ ଥାନା ପୁଲିସ ଢେଙ୍କାନାଲ ଉପଜିଲ୍ଲାପାଳ ପ୍ରମୁଖ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଲୋକମାନେ ଆନ୍ଦୋଳନରୁ ହଟିଥିବା ଜଣାପଡିଛି । 

ବ୍ରାହ୍ମଣୀବାଡ଼ି ଗ୍ରାମବାସୀଙ୍କ ଆଭିଯୋଗ ମୁତାବକ ବ୍ରାହ୍ମଣୀ ନଦୀ ଭିତରେ ଥିବା ପ୍ରାୟ ୬୫ ଏକର  ଟାପୁ ଜାଗାକୁ ସେମାନଙ୍କ ବାପ ଅଜା ଅମଳରୁ ଚାଷ କରି ଆଦାୟ ଅର୍ଥରୁ ଗାଁ ମନ୍ଦିର ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଲଗାଉଥିଲେ । ମାତ୍ର ଗତ ଚାରି ପାଞ୍ଚ ବର୍ଷ ହେବ କାଜୁ ନିଗମ ପକ୍ଷରୁ ଏହାକୁ ଗ୍ରାମର କିଛି ଲୋକଙ୍କ ନାମରେ କାଜୁ ଗଛ ଲଗାଇ କାଜୁ ଆମଦାନୀ କରୁଥିଲା । ତେବେ ଏହି ଆମଦାନୀ ଅର୍ଥରୁ କିଛି କାଜୁ ନିଗମ ପକ୍ଷରୁ ଗାଁ କମିଟିକୁ ଦେଉଥିଲେ। ମାତ୍ର ଗତ ବର୍ଷ ଠାରୁ କାଜୁ ନିଗମ କାଜୁ ନିଲାମ କରୁଥିଲେ ମଧ୍ୟ ଆଉ ଗାଁ କମିଟିକୁ ପଇସା ଟିଏ ଦେଉନାହିଁ । ଯାହାକି ଗ୍ରାମବାସୀଙ୍କୁ ବ୍ୟଥିତ କରିଛି । ଫଳରେ ଏହି ଜାଗାରୁ କାଜୁ ନିଗମକୁ ଉଚ୍ଛେଦ କରି ଗ୍ରାମବାସୀଙ୍କୁ  ଜାଗା ହସ୍ତାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.