ଇଂଲଣ୍ଡରେ ଆର୍ଥିକ ସମସ୍ୟା ଉତ୍କଟ, ଖାଦ୍ୟ ଯୋଗାଡା ପାଇଁ କରୁଛନ୍ତି ସଂଘର୍ଷ
16/12/2022 at 5:32 PM

ନୂଆଦିଲ୍ଲୀ: ଇଂଲଣ୍ଡରେ ଅଦ୍ଭୂତପୂର୍ବ ଦରବୃଦ୍ଧି ଏପରି ସ୍ଥିତି ଉତ୍ପନ୍ନ କରିଛି ଯେ ଅନେକ ପରିବାରକୁ ନିଜ ଖାଦ୍ୟ ଯୋଗାଡ କରିବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି । ଏହି ଆର୍ଥିକ ସଂକଟର ମୁକାବିଲା ପାଇଁ ଲୋକମାନେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ।
ଇଂଲଣ୍ଡର ସେଣ୍ଟ ମେରିଜ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରୁ ଅଧା ସ୍କୁଲରେ ମାଗଣା ଭୋଜନ ପାଇଁ ଯୋଗ୍ୟ । ଏଠାରେ ପଢୁଥିବା ପିଲାମାନେ ସବୁଠୁ ଗରିବ ପରିବାରରୁ ଆସନ୍ତି । ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ଦୈନନ୍ଦିନ ଜୀବନରେ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ମହଙ୍ଗା ହୋଇଛି ଏବଂ ଚାରିଟେବୁଲ ସଂସ୍ଥା ଗୁଡିକ ସରକାରଙ୍କୁ ଦାବି କରି ଅଧିକ ପିଲାଙ୍କୁ ମାଗଣାରେ ଭୋଜନା ଉପଲବ୍ଧ କରାଇବାକୁ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଋଷି ସୁନ ସରକାର ଏହି ଦାବିକୁ ସ୍ୱୀକାର କରି ନାହାନ୍ତି । ଏହି ସ୍କୁଲର ପ୍ରାୟ ୪୮ ପ୍ରତିଶତ ପିଲାମାନେ ମାଗଣା ଭୋଜନ ପାଇବା ପାଇଁ ଯୋଗ୍ୟ ଏବଂ ଏହା ଦେଶର ହାରାହାରି ପ୍ରତିଶତଠାରୁ ବହୁ ଅଧିକ ଅଟେ । ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନରେ ବାର୍ଷିକ ଆୟ ୯,୬୧୩ ଡଲାରରୁ କମ ଥିବା ପରିବାର ଏଥିପାଇଁ ଯୋଗ୍ୟ ଅଟନ୍ତି ।
ଇଂଲଣ୍ଡରେ ମହାମାରୀ ପରେ ଆର୍ଥିକ ସମସ୍ୟ ଅଧିକ ଉତ୍କଟ ହୋଇଛି । ଲୋକଙ୍କ ରୋଜଗାର ଯିବା ଏବଂ ବର୍ତ୍ତମାନର ଉଚ୍ଚ ମୁଦ୍ରାସ୍ଫୀତି ସମସ୍ୟାକୁ ଅଧିକ ଜଟିଳ କରିଦେଇଛି । ଏକ ଦାବି ଅନୁସାରେ ବର୍ତ୍ତମାନ ସମୟରେ ସ୍କୁଲରେ ଭୋଜନ ଖର୍ଚ୍ଚା ଉଠାଇବାରେ ଅସମର୍ଥ ପରିବାରଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି।