ନର୍କ ଆଡକୁ ଆମେ ବଢ଼ି ଚାଲିଛୁ, ଆମ ପାଦ ଏକ୍ସିଲେଟର ଉପରେ ଅଛି: ଜାତିସଂଘ ମହାସଚିବ

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ: ଭୟଙ୍କର ଚେତାବନୀ ସହ ଆରମ୍ଭ ହୋଇଛି ଶର୍ମ ଅଲ ଶେଖରେ ଜଳବାୟୁ ସମ୍ମିଳନୀ କୋପ-୨୭ । ଜାତିସଂଘ ମହାସଚିବ ଗୁଟେରସ ଏବଂ ଅନ୍ୟ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି, ଭବିଷ୍ୟତ ଅନ୍ଧାରମୟ ଏବଂ ସବୁକିଛି ଠିକ୍ କରିବା ପାଇଁ ପାଖରେ କମ ସମୟ ରହିଛି ।

ଗୁଟେରସ କହିଛନ୍ତି, ମଣିଷଙ୍କ ପାଖରେ ଦୁଇଟି ବିକଳ୍ପ ରହଛି । ସହଯୋଗ ନଚେତ ବିନାଶ । ଜଳବାୟୁ ପ୍ରସଙ୍ଗରେ ଏକ ହେବା ନଚେତ ସାମୁହିକ ଆତ୍ମହତ୍ୟା । ସେ ଚେତାବନୀ ଦେଇ କହିଛନ୍ତି, ବର୍ତ୍ତମାନ ଯେଉଁ ଦିଗରେ ଅଛୁ, ତାହା ଦର୍ଶାଉଛି ଯେ ଆମେ ଜଳବାୟୁ-ନର୍କ ରସ୍ତାରେ ଚାଲୁଛୁ ଏବଂ ଆମ ପାଦ ଏକ୍ସିଲେଟର ଉପରେ ରହିଛି ।

ଗୁଟେରସ କହିଛନ୍ତି, ଜୀବାସ୍ମ ଇନ୍ଧନକୁ ଛାଡି ବୈକଳ୍ପିକ ଉର୍ଜା ଆପଣାଇବାକୁ ପଡିବ । ବୈକଳ୍ପିକ ଉର୍ଜାର ବ୍ୟବାହର ଗତିକୁ ବଢାଇବା ପାଇଁ ସବୁଠୁ ଧନୀ ଏବଂ ସବୁଠୁ ଗରିବ ଦେଶଙ୍କ ମଧ୍ୟ ଗୋଟିଏ ବୁଝାମଣା ଜରୁରୀ । ଏହାସହ ଗରିବ ଦେଶଗୁଡିକୁ ତୁରନ୍ତ ରାଷ୍ଟ୍ର ଅର୍ଥ ରାଶି ଯୋଗାଇବାକୁ ସେ ଅପିଲ କରିଛନ୍ତି । ଏହାସହ କୋପ-୨୭ରେ ସାମିଲ ନେତାଙ୍କୁ ସେ ଆହ୍ୱାନ ଦେଇ ସ୍ପଷ୍ଟ ଏବଂ ସୟମବଦ୍ଧ ରାସ୍ତାରେ ସହମତି ପ୍ରକାଶ କରିବାକୁ କହିଛନ୍ତି ।

ଦୁନିଆର ଅନେକ ବଡ଼ ନେତା କୋପ-୨୭ର ଉଦଘାଟନୀ ଅଧିବେସନକୁ ସମ୍ୱୋଧିତ କରିଛନ୍ତି । ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜ୍ ୨୦୨୫ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଣ୍ଠିରେ ନିଜ ଦେଶର ସହଯୋଗ ରାଶିକୁ ବଢାଇ ବାର୍ଷିକ ଛଅ ବିଲିୟନ ଡଲାର କରିବାକୁ ଘୋଷଣା କରିଛନ୍ତି । ଏହାସହ ୨୦୪୫ ସୁଦ୍ଧା କାର୍ବନ ନ୍ୟୁଟରାଲ କରିବା ନେଇ ନିଜ ଲକ୍ଷ୍ୟକୁ ଦୋହରାଇଛନ୍ତି । ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଜଳବାୟୁ ପରିବର୍ତ୍ତନ ଉପରେ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ କଥା ଉଲ୍ଲେଖ କରିଛନ୍ତି । ସେହିପରି ଋଷି ସୁନକ ଏଥିରୁ ନୂଆ ସମ୍ଭାବନାର କଥା କହିଛନ୍ତି । ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମ ସଂଘର୍ଷକୁ ନୂତନ ରୋଜଗାର ଏବଂ ନୂଆ ବିକାଶ ପାଇଁ ଏକ ଅଭିଯାନରେ ବଦଳାଇ ପାରିବା ଏବଂ ନିଜ ଭବିଷ୍ୟତ ପିଢି ପାଇଁ ଏକ ସବୁଜ ଗ୍ରହ ଦେଇପାରିବା ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.