ଦ୍ଵିତୀୟ ଦିନିକିଆରେ ଚୂଡାନ୍ତ ଏକାଦଶରୁ ବାଦ୍ ପଡି ପାରନ୍ତି ଏହି ଦୁଇ ଖେଳାଳି, ପଡିଆକୁ ଓହ୍ଲାଇବ ମଜବୁତ ଟିମ୍ !

Published By : Prameya-News7 Bureau | November 28, 2020 IST

ସିଡନୀ ୨୮।୧୧: ଭାରତୀୟ କ୍ରିକେଟ୍‌ ଟିମ୍‌ ସିଡନୀରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳସ୍ଵରୂପ ଦଳ ୬୬ ରନରେ ପରାଜିତ ହୋଇଛି। ଏବେ ଭାରତ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଦ୍ଵିତୀୟ ଦିନିକିଆ ଜିତିବାକୁ ପଡିବ। ଦ୍ଵିତୀୟ ଦିନିକିଆ ମଧ୍ୟ ସିଡନୀରେ ଖେଳାଯିବ। ପ୍ରଥମ ଦିନିକିଆରେ ଦଳ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ଅନୁଭବ କରିଛି। ଯାହାର ଫାଇଦା ଉଠାଇଥିଲେ କଙ୍ଗାରୁ ବ୍ୟାଟସମ୍ୟାନ। ତେଣୁ ଏମିତି ସ୍ଥିତିରେ ଦଳରେ ଦୁଇଟି ପରିବର୍ତ୍ତନ  କରାଯାଇପାରେ।

ଭାରତୀୟ ଦଳକୁ ପ୍ରଥମ ମ୍ୟାଚ୍‌ରେ ଷଷ୍ଠ ବୋଲରଙ୍କ ଅଭାବ ଅନୁଭୂତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ବଡ ନିଷ୍ପତ୍ତି ନେଇପାରେ। ମୟଙ୍କ ଅଗ୍ରଓ୍ଵାଲଙ୍କୁ ଚୂଡାନ୍ତ ଏକାଦଶରୁ ବାହାର କରାଯାଇ ତାଙ୍କ ସ୍ଥାନରେ ବୋଲିଂ ବିକଳ୍ପକୁ ସୁଯୋଗ ଦିଆଯାଇପାରେ। ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇ ଚର୍ଚ୍ଚା କରାଯାଉଛି। କାରଣ ସେ ବଲ୍‌କୁ ସ୍ଵିଙ୍ଗ କରିବା ସହିତ ନିମ୍ନ ଅର୍ଡରରେ ବ୍ୟାଟିଂ କରିବାକୁ ସକ୍ଷମ। ଠାକୁର ଖେଳିଲେ ଅଗ୍ରଓ୍ଵାଲଙ୍କୁ ବାହାରେ  ବସିବାକୁ ପଡିପାରେ ଓ କେଏଲ ରାହୁଲଙ୍କୁ ଓପନିଂ ପାଇଁ ପଠାଯାଇପାରେ।

ଚହଲଙ୍କ ସ୍ଥାନରେ କୁଲଦୀପ

ୟୁଜବେନ୍ଦ୍ର ଚହଲ ସିଡନୀରେ ଖେଳାଯାଇଥିବା ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୧୦ ଓଭରରେ ୮୯ ରନ ଦେଇଥିଲେ। ଚହଲଙ୍କ ବଲରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୫ ଛକା ଓ ୫ ଚୌକା ମାରିଥିଲେ। ଅର୍ଥାତ ୫୦ ରନ ସେ କେବଳ ବାଉଣ୍ଡରୀ ଜରିଆରେ ଦେଇଥିଲେ। ଏମିତିରେ ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ। କୁଲଦୀପ ଯାଦବ ବିଗତ ସିଜିନରେ କଙ୍ଗାରୁ ବ୍ୟାଟସମ୍ୟାନଙ୍କୁ ହଇରାଣରେ ପକାଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ରେକର୍ଡ ମଧ୍ୟ ଭଲ ରହିଛି।

ଦ୍ଵିତୀୟ ଦିନିକିଆ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ

କେଏଲ ରାହୁଲ, ଶିଖର ଧାଓ୍ଵନ, ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ନବଦୀପ ସାଇନି, ଯଶପ୍ରୀତ ବୁମରା ଓ ମହମ୍ମଦ ସାମି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.