ପୁରୁଷୋତ୍ତମପୁର: ରୋଡ଼ ରୋଲରକୁ ଫିଲ୍ମ ଷ୍ଟାଇଲରେ ଚୋରି କରିବା ପରେ କମ ସମୟ ମଧ୍ୟରେ ଚୋରି ଘଟଣାର ପର୍ଦ୍ଦାଫାସ କଲା ପୁରୁଷୋତ୍ତମପୁର ଥାନା ପୋଲିସ । ପ୍ରିୟସୁ ରଞ୍ଜନ ଛୋଟରାୟ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗାଁରେ ଦୀର୍ଘ ଦିନ ହେଲା ରାସ୍ତା କାମ ଚାଲିଥିଲା । ତେବେ ଗତ ୭ ତାରିଖ ବିଳମ୍ବିତ ରାତିରେ ଏହି ରାସ୍ତାକାମରେ ଲାଗିଥିବା ରୋଡ଼ ରୋଲରଟି ଚୋରି ହୋଇଥିବା ନେଇ ମୋରାବାଇ ଗାଁର ନିର୍ମଳ ଚନ୍ଦ୍ର ସାହୁ ପୁରୁଷୋତ୍ତମପୁର ଥାନାରେ ଗତ ୮ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା।
ଅଭିଯୋଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଥିବା ପୋଲିସ । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ବେଳେ ସବୁ ସତ ସାମ୍ନାକୁ ଆସିଥିଲା । ଚୋରି ହୋଇଥିବା ରୋଡ଼ ରୋଲରକୁ ଦୁଇଟି ହାଇଡ୍ରା ଯୋଗେ ଏକ ଦଶଚକିଆ ଟ୍ରକ ଚଢ଼ାଇ ଚୋରମାନେ କେଉଁଆଡ଼େ ନେଇଯାଇଥିଲେ । ଏନେଇ ଜାଣିବା ପରେ ପୋଲିସ ଅଧିକ ଖୋଳତାଡ଼ କରିଥିଲା । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ମାନେ ହେଲେ ତ୍ରିନାଥ ସାହୁ, ଉମାକାନ୍ତ ସାହୁ, ଓ କାମରାଜୁ ମୁନି ।
ଏହି ତିନି ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ହାଇଡ଼୍ରା, ଟିଭିଏସ ଏକଏଲ ମୋପେଡ଼୍, ତିନୋଟି ମହିନ୍ଦ୍ରା ଡ଼ାଲା ଅଟୋ, ଗୋଟିଏ ସିଏନଜି ଗ୍ୟାସ ଟାଙ୍କି, ଦୁଇଟି ବଡ଼ ଅକ୍ସିଜେନ ଟ୍ୟାଙ୍କ, ଗ୍ୟାସ କଟର ପାଇପ ସେଟ୍, ଦୁଇଟି ବଡ଼ କବ୍, ଚାରୋଟି ଚାରି ଚକିଆ ଯାନର ସିଟ୍ ସହ ଟ୍ରାକ୍ଟରୁ ଆରମ୍ଭ କରି ମୋଟର ସାଇକେଲ ଗାଡ଼ିର ଭଙ୍ଗାଯାଇଥିବା ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି ।ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି ।