ଜୀବନ ସାରା ବାଦ୍ୟଯନ୍ତ୍ରରେ ବୁଡ଼ି ରହିଥିଲେ: ଜୀବନର ଶେଷ ପାହାଚରେ ଖୋଜୁଛନ୍ତି ସାହାଯ୍ୟ
30/09/2020 at 6:30 PM

ଉଦଳା୩୦/୯: ସେ ଜୀବନ ତମାମ ବାଦ୍ୟଯନ୍ତ୍ରରେ ବୁଡ଼ି ରହୁଥିଲେ। ହାରମୋନିୟମ, ତବଲା ସହ ସଙ୍ଗୀତ ମଧ୍ୟ ଶିଖାଉଥିଲେ। ତାଙ୍କ ହାତରେ ତିଆରି ବହୁ ଛାତ୍ରଛାତ୍ରୀମାନେ, ଯେଉଁମାନେ ଏବେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ହେଲେ ସେହି ଗୁରୁ ଆଜି ଅବହେଳିତ ଆଉ ନୀରବି ଯାଇଛି ତାଙ୍କ ହାତରୁ ସଙ୍ଗୀତର ସ୍ବର ।

ଆଉ ବାଜୁ ନାହିଁ ହାରମୋନିୟମ, ଶୁଭୁ ନାହିଁ ତାଙ୍କ କଣ୍ଠସ୍ବର । ତାଙ୍କ ନାଁ କହିଲେ, ଆପେ ଆପେ ଆସିଯାଏ ବାଦ୍ୟଯନ୍ତ୍ରର କଥା। ସେ ହେଉଛନ୍ତି ଉଦଳା ବ୍ଲକ ଅଧିନସ୍ଥ ବଡସିଙ୍ଗାରିଆ ପଞ୍ଚାୟତର ନୂଆସାହି ଗ୍ରାମରେ ରହୁଥିବା ସଙ୍ଗୀତ ଗୁରୁ ବା ସଙ୍ଗୀତ ବିଶାରଦ ମହେଶ୍ବର ହାତୀଙ୍କ କଥା।

ଆଜକୁ ୫୦ ବର୍ଷ ପୂର୍ବରୁ ସେ ଜଣେ ସଙ୍ଗୀତ ଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ ସଙ୍ଗୀତ ଶିଖାଉଥିଲେ। କେବଳ ବିଦ୍ୟାଳୟରେ ନୁହେଁ ସଙ୍ଗୀତ ପ୍ରତି ତାଙ୍କର ଏତେ ଆବେଗ ଥିଲା ଯେ, ସେ ନିଜ ଘରେ ମଧ୍ୟ ପିଲାମାନଙ୍କୁ ସଙ୍ଗୀତ ଶିଖାଉଥିଲେ। ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେତେବେଳେ ୫୦ ଟଙ୍କା ଦରମାରେ ଚାକିରୀ ଜୀବନ ଆରମ୍ଭ କରି ୭୫୦ ଟଙ୍କାରେ ତାଙ୍କର ଚାକିରୀ ଜୀବନ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଜଣେ ସଚ୍ଚା ସଙ୍ଗୀତ ବିଶାରଦ ଭାବେ ମହେଶ୍ବର ହାତୀ ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏବେ ସେ ବିଛଣାରେ ପଡି ରହିଛନ୍ତି। ଜୀବନର ଶେଷ ପାହାଚରେ ଆଜି ସଙ୍ଗୀତ ଗୁରୁ ମହେଶ୍ବର। ବର୍ତ୍ତମାନ ତାଙ୍କୁ କୌଣସି ସରକାରୀ ସୁବିଧା ମିଳି ନାହିଁ।