ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ସଂପନ୍ନ ପରେ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ଶପଥ ଗ୍ରହଣ ପରେ ସୋମବାର ଜୁନ ୧୦ ତାରିଖରେ ସମସ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି ଏବଂ ସରକାର ନିଜର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସଭିଙ୍କ ନଜର ଲୋକସଭା ନିର୍ବାଚନ ଉପରେ ରହିଛି। ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଅନୁଯାୟୀ, ଲୋକସଭା ବାଚସ୍ପତି ନିର୍ବାଚନ ଜୁନ ୨୬ ତାରିଖରେ ହେବ।
ଜୁନ ୨୭ ତାରିଖରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅର୍ଥାତ ଏହା ପୂର୍ବରୁ ସମସ୍ତ ନବ ନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ହେବା ସହ ନୂତନ ବାଚସ୍ପତି ନିର୍ବାଚନ ହେବା ଜରୁରୀ। ଏହା ପରେ ଜୁନ ୨୪ ଓ ୨୫ ତାରିଖରେ କାମଚଳା ବାଚସ୍ପତି ନୂତନ ସାଂସଦଙ୍କୁ ଶପଥ ପାଠ କରାଇବେ।
ଲୋକସଭା ବାଚସ୍ପତି ପଦ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି। ଅର୍ଥାତ ଅଷ୍ଟାଦଶ ଲୋକସଭାରେ ବିଜେପିର କୌଣସି ସାଂସଦଙ୍କୁ ବାଚସ୍ପତି ଚୟନ କରାଯାଇପାରେ। ବିଜେପିର ଜନୈକ ବରିଷ୍ଠ ନେତା କହିଛନ୍ତି, କୌଣସି ବି ସହଯୋଗୀ ଦଳ ପକ୍ଷରୁ ବାଚସ୍ପତି ପଦକୁ ନେଇ କୌଣସି ଦାବି କରାଯାଇ ନାହିଁ। ବିଜେପି ଶୀଘ୍ର ପାର୍ଟି ସ୍ତରରେ ଏହା ଉପରେ ଆଲୋଚନା କରିବ। ଏହା ପରେ ସହଯୋଗୀ ଦଳ ସହିତ ବିଚାର ବିମର୍ଶ କରି ନାଁ ଉପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ।
ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରୁ ଫେରିବାପରେ ଲୋକସଭାର ନୂତନ ବାଚସ୍ପତି ନାଁ ଉପରେ ବିଚାର ବିମର୍ଶ କରାଯିବ। ବିଜେପି ପ୍ରଥମେ ପାର୍ଟି ସ୍ତରରେ ଭାବି ବାଚସ୍ପତି ନାଁ ସ୍ଥିର କରିବ। ଏହା ପରେ ସହଯୋଗୀ ଦଳ ସହ ଆଲୋଚନା କରିବ। ଯଦି ସହଯୋଗୀ ଦଳ ପକ୍ଷରୁ କୌଣସି ପ୍ରସ୍ତାବ ଆସେ ତେବେ ବିଜେପି ନୂତନ ଫର୍ମୁଲା ଉପରେ ବିଚାର କରିବ।ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ।