ଜାତୀୟ ଇଣ୍ଟେନସିଭ କେୟାର ସପ୍ତାହ ପାଳନ ଅବସରରେ ସମ୍ ପକ୍ଷରୁ ମାରାଥନ୍ ଦୌଡ଼ ଆୟୋଜିତ

Published By : Prameya-News7 Bureau | June 10, 2022 IST

ଭୁବନେଶ୍ୱର ୧୦/୦୬ : ଜାତୀୟ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହି ମାରାଥନ୍‌ରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ତଥା ଓଡ଼ିଶା ପୋଲିସର ଆଇ.ଜି (ଅପରେସନ୍ସ) ଶ୍ରୀ ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

କରୋନା ମହାମାରୀ ଆରମ୍ଭ ହେବା ପରେ ବିଗତ ଦୁଇ ବର୍ଷ ଧରି ଡାକ୍ତରମାନେ ଏବଂ ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ସମାଜ ପ୍ରତି ଅନେକ ଅବଦାନ ଓ ତ୍ୟାଗ ରହିଛି । ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗୀ ସେବା କରିଛନ୍ତି। ତେଣୁ ସେମାନଙ୍କ ପ୍ରତି ଆମର ଉଦାରତା ଓ ମହାନତା ଦେଖାଇବା ଉଚିତ ବୋଲି ଠାକୁର କହିଛନ୍ତି।

ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌)ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍‌ରେ ଫ୍ଲାଗଅଫ୍ କରିବା ଅବସରରେ ଏହା ଠାକୁର କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମମ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ଶ୍ୱେତପଦ୍ମା ଦାଶ ଏବଂ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍ମମ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମାରାଥନ ଆୟୋଜନ କରାଯାଇଛି। ନିଜ ସ୍ୱାସ୍ଥ୍ୟ ପାଇଁ, ନିଜ ଜୀବନ ପାଇଁ , ନିଜ ଭବିଷ୍ୟତ ପାଇଁ ଏବଂ ନିଜ ସମାଜ ପାଇଁ ଦୌଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାରାଥନର ଥିମ୍ ରହିଥିଲା “ସେଭ ଦ ସେଭିୟର୍ସ”। ସମ୍ମମ୍‌ର ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଆନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏସ୍‌ସିସିଏମର ଜାତୀୟ  ସମ୍ପାଦକ ଇଲେକ୍ଟ ଡାକ୍ତର ୱାଇ.ପି. ସିଂହ, ଆମେରିକାର ଫ୍ଲୋରିଡାରେ ଥିବା ମାୟୋ କ୍ଲିନିକର ସିନିଅର କନସଲଟାଣ୍ଟ ତଥା ଇକମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଆଇଏସସିସିଏମ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ ଡାକ୍ତର ପ୍ରଜ୍ଞାନ ରାଉତରାୟ ଓ ସମ୍ମମ୍‌ର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ମମ୍‌ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡାକ୍ତରଖାନାର ଡାକ୍ତର, ନର୍ସ ଓ ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରାୟ ୫ କି.ମି. ପର୍ଯ୍ୟନ୍ତ ମାରାଥନରେ ଦୌଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.