ଚାକିରି ଛାଡି ଜଣେ ସଫଳ ଚାଷୀ ସାଜିଲେ ନଟବର: ପୁଣି ୧୦ ପରିବାର ମୁହଁରେ ଫୁଟାଉଛନ୍ତି ହସ
28/11/2020 at 10:48 PM

ଭଦ୍ରକ୨୮/୧୧: ଚାକିରି ଛାଡି ଚାଷ କାମରେ ମନ ବଳାଇଛନ୍ତି। ବର୍ଷକ ୧୨ ମାସରେ ଫଳ ବ୍ୟତୀତ ପନିପରିବା ଚାଷ ମଧ୍ୟ କରୁଛନ୍ତି । ୧୦ରୁ ଅଧିକ ଶ୍ରମିକ କାମ ମଧ୍ୟ କରୁଛନ୍ତି। ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ ମଧ୍ୟ ଆତ୍ମସନ୍ତୋଷ ନ ମିଳିବାରୁ ଚାକିରି ଛାଡି ଏବେ ଚାଷ କାମରେ ମନ ବଳାଇଛନ୍ତି ୬୦ ବର୍ଷୀୟ ନଟବର ବିଶ୍ଵାଳ। ପଶ୍ଚିମବଙ୍ଗ ବୁଲିବା ପାଇଁ ଯାଇ ଫଳ ଚାଷ ଦେଖି ଥିଲେ ଆଉ ଏବେ ୫ ଏକର ଜମିରେ ଚାଷ କରି ବେଶ ଆତ୍ମସନ୍ତୋଷ ଲାଭ କରୁଛନ୍ତି ନଟବର। ଏହା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକରୁ ନିଆରା ଚାଷୀ ନଟବରଙ୍କ କାହାଣୀ ।
ନାମ ନଟବର ବିଶ୍ଵାଳ, ବୟସ ପ୍ରାୟ ୬୦ ଛୁଇଁଲାଣି । ଘର ଯାଜପୁର ଜିଲ୍ଲା ବରହଟ୍ଟା ଗ୍ରାମରେ। ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ। ଚାକିରି ବେଳେ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ଫଳ ଚାଷ ଦେଖି ଖୁସି ହୋଇଯାଇଥିଲେ। ପରେ ନିଜେ ଚାଷ କରିବା ପାଇଁ ମନସ୍ଥ କରି ଚାକିରି ଛାଡିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ବିରୋଳି ଗାଁର ବୈତରଣୀ ନଦୀ କୁଳରେ ପ୍ରାୟ ୫ ଏକର ଜମିରେ ଚାଷ ଆରମ୍ଭ କଲେ। ୧୨ ଫୁଟ ଅନ୍ତରାଳରେ ପ୍ରାୟ ୧୫ ଶହ ପିଜୁଳି ଗଛ ଲଗାଇଥିଲେ ।
ଧାଡି ମଧ୍ୟରେ ଟ୍ରାକ୍ଟରରେ ହଳ କରାଯାଇ ସମନ୍ୱିତ ଚାଷ ପ୍ରଣାଳୀରେ ଖମ୍ବଆଳୁ, ପନିପରିବା ସହ ରବି ଫସଲ ମଧ୍ୟ ଚାଷ କରାଯାଇଛି । ଚାରାରୋପଣ , ଜଳସେଚନ ବ୍ୟବସ୍ଥା, ମଜୁରୀ ସହ ଏଯାବତ ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । ଏବେ ପିଜୁଳିରୁ ଜାମ୍ ପ୍ରସ୍ତୁତି ପାଇଁ ମଧ୍ୟ ଏକ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ନଟବର। କାଣ୍ଡବିନ୍ଧା ପୋକ , ଓ ବନ୍ୟାଞ୍ଚଳ ହୋଇଥିବାରୁ ଜମି ପାଣିରେ ବୁଡି ରହିବା ଦ୍ୱାରା ଗଛ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାଙ୍କଡ ଓ ଟିଆଙ୍କ ଉପଦ୍ରବ ମଧ୍ୟ ରହିଛି। ଚାକିରି ଛାଡି ଚାଷ କରିବା ପାଇଁ ପ୍ରଥମେ ଲୋକେ ଗ୍ରହଣ କରି ପାରୁନଥିବା ବେଳେ ଏବେ କିନ୍ତୁ ନଟବର ଜଣେ ସଫଳ ଚାଷୀ ବୋଲି କହିଲେଣି ।