AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସଞ୍ଜୟଙ୍କ ମାରୁତି କିପରି ହେଲା ମାରୁତି ସୁଜୁକି… ଏକ ଦୀର୍ଘ ଓ ବନ୍ଧୁର ରାସ୍ତା କିନ୍ତୁ ଯାତ୍ରା ସଫଳର ଅଜଣା କଥା

5/05/2020 at 9:20 PM

(ସତ୍ୟନାରାୟଣ ମହାପାତ୍ର) : ଭାରତର ମାରୁତି କାର । ଏହା ପଛରେ ଜଣେ ଯୁବକଙ୍କ ସ୍ୱପ୍ନର କାହାଣୀ ।  କାର ପ୍ରତି ଥିବା ଦୁର୍ବଳତାରୁ ସେହି ଯୁବକ ସାକାର କରିବା ପାଇଁ ପ୍ରୟାସ କରିଥିଲେ |ସେହି ଯୁବକ ଜଣକ ହେଲେ ସ଼ଞ୍ଜୟ ଗାନ୍ଧୀ । ଜବାହାରଲାଲ ନେହେରୁଙ୍କ ନାତି ଆଉ ନେହେରୁ-ଗାନ୍ଧୀ ପରିବାରର ଏକଜିଦିଆ ଯୁବକ ଥିଲେ ସ଼ଞ୍ଜୟ । ଇନ୍ଦିରା ଗାନ୍ଧୀ ଏବଂ ଫିରୋଜ ଗାନ୍ଧୀଙ୍କ ପୁଅ ସଞ୍ଜୟଙ୍କ ଜନ୍ମ ୧୯୪୬ ମସିହାରେ । ଭାରତର ପ୍ରଥମ ପରିବାର କୁହାଯାଉଥିବା ନେହେରୁ ପରିବାରର ସେହି ଯୁବରାଜ ଯଦିଓ ଜଣେ ମେଧାବୀ ଛାତ୍ର ନଥିଲେ ସେ ଜଣେ ଆଭରେଜ ଛାତ୍ର ଥିଲେ ବି ସେ ସାଧାରଣ ଭାବେ ଏକାଏକା ରହୁଥିଲେ । ତାଙ୍କର ସେପରି କିଛି ସାଙ୍ଗସାଥି ନଥିଲେ କିମ୍ବା ସେ ବେଶୀ କାହା ସହ କଥାବାର୍ତ୍ତା ହେଉନଥିଲେ । କିନ୍ତୁ ତାଙ୍କର କାର ପ୍ରତି ଥିଲା ଅହେତୁକ ଦୁର୍ବଳତା ଏବଂ ନିଶା । କାର ଗୁଡିକୁ ସେ ବେଶୀ ନଜର ଦେଉଥିଲେ ଆଉ ସୁବିଧା ସୁଯୋଗ ପାଇଲେ ଲକ୍ ହୋଇନଥିବା କାରକୁ ଧରି ହଠାତ ଗାୟବ ହୋଇଯାଉଥିଲେ । କେହି ଜାଣିବା ପୂର୍ବରୁ ସେ କାରଗୁଡିକୁ ଆଣି ଯେଉଁଠୁ ନେଇଯାଉଥିଲେ ସେଠାରେ ଛାଡି ଦେଉଥିଲେ ।   

ଜଣେ ମାଧ୍ୟମ ଧରଣର ଛାତ୍ର ଥିବା ସଞ୍ଜୟ କଲେଜ ଡିଗ୍ରୀ ହାସଲରେ ସଫଳ ହୋଇପାରି ନଥିଲେ କିନ୍ତୁ  ତାଙ୍କ ମାଙ୍କ ପ୍ରଭାବ ହେତୁ ସେ ଇଂଲଣ୍ଡର କ୍ରିଉସ୍ଥିତ ରୋଲ୍ସ-ରୋଏସ୍ ସହିତ ଏକ ଇଣ୍ଟର୍ନସିପ୍ କରିଥିଲେ। ୧୯୬୮ ମସିହାରେ ସଞ୍ଜୟ ଗାନ୍ଧୀ ଭାରତକୁ ଫେରି ଆସିଥିଲେ | କିନ୍ତୁ ସେ ଏକା ଆସିନଥିଲେ | ତାଙ୍କ ସାଙ୍ଗରେ  ତାଙ୍କର ସେହି ପିଲାବେଳର ସ୍ୱପ୍ନ, କାର ପ୍ରତି ଦୁର୍ବଳତା ।  ପ୍ରତ୍ୟାବର୍ତ୍ତନ ପରେ ସେ ନିଜ ଚିନ୍ତାଧାରା ଯୋଜନା ଆୟୋଗରେ ପ୍ରକାଶ କରିଥିଲେ | ସରକାର ତଥା ସମ୍ମାନଜନକ ଯୋଜନା ଆୟୋଗ ମଧ୍ୟ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଘରୋଇ କ୍ଷେତ୍ରରେ ଏକ ଛୋଟ କାର ଉତ୍ପାଦନ ଏକ ଭଲ ଚିନ୍ତାଧାରା। ଏହାପରେ ସଞ୍ଜୟ ଏକ ପ୍ରୋଟୋଟାଇପ୍ କାରର ବିକାଶ ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଉ ଗୁଲାବୀ ବାଗରେ ସେ ତାଙ୍କର ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ଦିଲ୍ଲୀର ଗୁଲାବୀ ବାଗ ଟ୍ରକ୍ ମାଲିକମାନଙ୍କ ପାଇଁ ଯନ୍ତ୍ରାଂଶ ପାଇବାର ଏଖ ଭଲ ସ୍ଥାନ ଥିଲା । ଏହା ଛଡା ଜାମା ମସଜିଦ ଅଞ୍ଚଳରୁ କିଛି ଯନ୍ତ୍ରାଂଶ ବା ପାର୍ଟସ୍ ମିଳିଥିଲା । ତା ସହ  କାରର ଇଞ୍ଜିନ ଲାଗି ଟ୍ରିଉମ୍ଫ  ମୋଟରସାଇକେଲ୍ ଇଞ୍ଜିନକୁ ବ୍ୟବହାର କରାଯାଇଥିଲା।

୧୯୭୧ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍ ଏକ ‘ପିପୁଲ କାର୍’ ଉତ୍ପାଦନ ପାଇଁ ପ୍ରସ୍ତାବ ରଖିଥିଲେ, ଯାହା ଶସ୍ତା, ସୁଲଭ, ଦକ୍ଷ ହେବା ସହ ଗୁରୁତ୍ୱପୂର୍ଣ୍ଣ ଭାବେ ସ୍ୱଦେଶୀ ହେବା ଜରୁରୀ ଥିଲା | ଏହି ଲକ୍ଷ୍ୟରେ ୟୋଜନା ଆରମ୍ଭ ହୋଇଥିବା ବେଳେ ୧୯୭୧ ମସିହା ଜୁନ ୪ ତାରିଖରେ ମାରୁତି ମୋଟର୍ସ ଲିମିଟେଡ୍ ନାମକ ଏକ କମ୍ପାନୀ ଆରମ୍ଭ ହୋଇଥିଲା ଯେଉଁଥିରେ ସଞ୍ଜୟ ଗାନ୍ଧୀଙ୍କୁ  ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା | ଯଦିଓ ତାଙ୍କର କାର ନିର୍ମାଣ କିମ୍ବା କୌଣସି ପ୍ରୋଟୋଟାଇପ୍ ସହ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା, ଏପରିକି କୌଣସି କାର ନିର୍ମାତାଙ୍କ ସହ ତାଙ୍କର ସମ୍ପୃକ୍ତି ବା ବୁଝାମଣା ମଧ୍ୟ ନଥିଲା । ଏହା ସତ୍ତ୍ୱେ ମାଆ ଇନ୍ଦିରାଙ୍କ ପ୍ରଭାବ ଯୋଗୁଁ ତାଙ୍କୁ ମାରୁତି ମୋଟର୍ସ ଲିମିଟେଡର ପ୍ରଥମ ପରିଚାଳନା ନିର୍ଦେଶକ ଦାୟିତ୍ୱ ଦିଆଯାଇଥିଲା |

ଏହାପରେ ବର୍ଷକୁ ୫୦ ହଜାର କାର ତିଆରି କରିବାକୁ ସରକାର ସଞ୍ଜୟଙ୍କୁ ଅନୁମତି ଦେଇଥିଲେ। ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ସେତେବେଳେ ଗାନ୍ଧୀ ପରିବାରର ଅତି ଘନିଷ୍ଠ ଥିଲେ । ସେ ପ୍ରଥମେ  ସଞ୍ଜୟ ଗାନ୍ଧୀଙ୍କୁ ସୋନେପତରେ କାର କାରଖାନା ପାଇଁ ଜମି ପ୍ରଦାନ କରିଥିଲେ | କିନ୍ତୁ ସଞ୍ଜୟ ଦିଲ୍ଲୀ ନିକଟସ୍ଥ ଗୁରୁଃଗ୍ରାମରେ ଜମି ଚାହୁଁଥିଲେ ଯେଉଁଠାରେ ଜମି ବ୍ୟତୀତ ପାଖରେ ଏକ ଗୁଳିଗୋଳା ଡମ୍ପ୍ ବା ଅଳିଆ ଗଦା  ରହିଥିଲା |

 ତେବେ ହରିୟାଣା ସରକାର ଶାଗମାଛ ଦରରେ କୃଷକଙ୍କଠାରୁ ଜମି କିଣି  ମାରୁତି ଲିମିଟେଡକୁ ହସ୍ତାନ୍ତର କଲେ ।  ସଞ୍ଜୟ ଅଗଷ୍ଟ ୧୯୭୧ ମସିହାରେ ମାରୁତି ଲିମିଟେଡ୍ ଆରମ୍ଭ କରିଥିଲେ | ଏହାପରେ ସେଠାରୁ ଗୁଳିଗୋଳା ଆବର୍ଜନା ସବୁକୁ ହଟାଇ ଦିଆଯାଇଥିଲା। ବ୍ୟାଙ୍କଗୁଡିକ ରିହାତିରେ ଋଣ ଦେଇଥିଲେ। କାର ତିଆରି ଆରମ୍ଭ ହେବାପରେ ଅହମ୍ମଦନଗର ଯାନ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ ମାରୁତି ଉପରେ ଏକ ସମ୍ଭାବ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା | ପ୍ରୋଟୋଟାଇପ୍ ପରୀକ୍ଷାରେ ସଫଳ ହେଲାନାହିଁ | ଫଳରେ ଏହା ରାସ୍ତାରେ ଚାଲିବା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା |

୧୯୭୪ ମସିହା ଜୁଲାଇ ମାସରେ ମାରୁତିଙ୍କୁ ୫୦ ହଜାର କାର ଉତ୍ପାଦନ ପାଇଁ ଏକ ଶିଳ୍ପ ପ୍ରତିଷ୍ଠାନ ଲାଇସେନ୍ସ ପ୍ରଦାନ କରିଥିଲା | ଜରୁରୀକାଳୀନ ପରିସ୍ଥିତିର ସୁଯୋଗ ନେଇ ସଞ୍ଜୟ ଗାନ୍ଧୀ ନିୟମ ଅମାନ୍ୟ କରି ପାର୍ଟ୍ସ ଚୋରାଚାଲାଣ ଏବଂ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଜନପଥର ବ୍ୟବସାୟୀମାନେ ମାରୁତି ଅଂଶଧନ ନ କିଣିଲେ ସେମାନଙ୍କ ଷ୍ଟୋରକୁ ଧ୍ବଂସ କରିବାକୁ ଧମକ ମଧ୍ୟ ଦିଆଯାଇଥିଲା।

ଏପରିକି ୧୯୭୫ ମସିହା ନଭେମ୍ବର ମାସରେ ସିଙ୍ଘାଣିଆ କମ୍ପାନୀର  ଜଣେ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରାଯିବା ଓ ତାଙ୍କ ବିରୋଧରେ ସାଙ୍ଘାତିତ ଅଭିଯୋଗ ମଧ୍ୟ ଲଗାଯାଇଥିଲା । ଫଳରେ ଚାପର ବଶବର୍ତ୍ତୀ ହୋଇ ତତ୍କାଳୀନ ଅନ୍ୟତମ ବୃହତ କାଗଜ ଉଦ୍ୟୋଗୀ ଭାବେ ଜଣାଶୁଣା ସିଙ୍ଘାଣିଆ କମ୍ପାନୀ ମାରୁତି ସେୟାର କିଣିଥିଲେ । ସଞ୍ଜୟଙ୍କ ଜୁଲମର ଆହୁରି କିଛି କଥା ମଦ୍ୟ ରହିଛି । ଜଣେ ଡିଲର୍ ଜମା ଦେଇଥିବା ଟଙ୍କା ଫେରାଇ ନେବା ଦାବି କରି ଗିରଫ ହେଲେ ଏବଂ ତାଙ୍କୁ ନିଶା ଆଇନରେ ଦୁଇମାସ ଜେଲରେ ରହିବାକୁ ପଡିଥିଲା ।  

ମାରୁତି କମ୍ପାନୀ କ୍ଷତିରେ ଚାଲିଥିବାବେଳେ ସଞ୍ଜୟଙ୍କ ଦ୍ୱାରା ମାରୁତି ଟେକନିକାଲ ସର୍ଭିସେସ୍ ନାମରେ ଆଉ ଏକ କମ୍ପାନୀ ଆରମ୍ଭ ହେଲା । ଯେଉଁ କମ୍ପାନୀର କର୍ମକର୍ତ୍ତା କାର ନିର୍ମାତାଙ୍କଠାରୁ ବେସ୍ ମୋଟ ଅଙ୍କର ଦରମା ପାଉଥିଲେ । ଏହାପରେ ମାରୁତି ହେଭି ବେଇକିଲ୍ସ ନାମରେ ତୃତୀୟ କମ୍ପାନୀ ଆରମ୍ଭ ହେଲା । ସେହି କମ୍ପାନୀ ପୁରୁଣା ଏବଂ ଦଦରା ରୋଡ ରୁଲର ଗୁଡିକୁ ନୂଆ ଭାବେ ବିକ୍ରି କରିଥିଲା ଆଉ ସେସବୁକୁ କଂଗ୍ରେସ ଶାସିତ ରାଜ୍ୟମାନେ କିଣିଥିଲେ ।

ଏହାପରେ ମାରୁତି କମ୍ପାନୀକୁ କାର୍ଯ୍ୟକ୍ଷମ ରଖିବା ଲାଗି ସଞ୍ଜୟ ଗାନ୍ଧୀ ଭୋକ୍ସଓ୍ୱାଗନ୍ ଏଜି ସହ ଯୋଗାଯୋଗ କରିଥିଲେ । ସେହି କମ୍ପାନୀ ସହ ସହବନ୍ଧନ କରି ଭାରତରେ ମିଳିତ ଭାବେ ବିଟିଲ୍ କାର ତିଆରି ଲାଗି ଚାହିଁଥିଲେ ସଞ୍ଜୟ । କିନ୍ତୁ ଭାରତର ଅ୍ୟ କାର୍ ନିର୍ମାତାଙ୍କ ସହ ସେମାନଙ୍କର ପ୍ରତିବଦ୍ଧତା କାରଣରୁ ସେହି ଉଦ୍ୟମ ଫେଲ୍ ମାରିଲା ।  

୧୯୭୭ ମସିହାରେ ମାରୁତି କମ୍ପାନୀ ଦେବାଳିଆ ହେବା ସହ ତାହାର ବିଲୟ ପ୍ରାୟ ହୋଇଥିଲା । ତେବେ ମାରୁତିର ଏପରି ଅବସ୍ଥା  ନେଇ ଏକ କମିଶନ ଅଫ୍ ଇନକ୍ୱାରୀ ବସିଥିଲା । ସେହି କମିଶନ ଅଫ୍ ଇନକ୍ୱାରୀର ମୁଖ୍ୟ  ଜଷ୍ଟିସ ଏପି ଗୁପ୍ତା ପୁରା ଘଟଣାକ୍ରମ ଉପରେ ଏକ ଚକିତକାରୀ ରିପୋର୍ଟ ଦାଖଲ କରିଥିଲେ । ୧୯୮୦ ମସିହା ଜୁନ ମାସରେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁର ଏକ ବର୍ଷ ପରେ ଇନ୍ଦିରା ଗାନ୍ଧୀ ତାଙ୍କ ସମ୍ପର୍କୀୟ ଅରୁଣ ନେହେରୁଙ୍କୁ ଡାକି ମାରୁତି ଏପିସୋଡର ସ୍ଥିତି ଅନୁଧ୍ୟାନ ଲାଗି କହିବା ସହ ତାଙ୍କ ପୁଅର ସ୍ୱପ୍ନକୁ ସାକାର କରିହେବ ନା ନାହିଁ ତାହା ଯାଞ୍ଚ କରିବାକୁ କହିଥିଲେ । ଭାରତରେ ପ୍ରଥମ ସ୍ୱଦେଶୀ ନିର୍ମିତ କାର ତିଆରି ପାଇଁ ସଞ୍ଜୟ ଦେଖିଥିବା ସ୍ୱପ୍ନକୁ  ସାକାର କରିବାକୁ ଇନ୍ଦିରା ଚାହିଁଥିଲେ ।ତେବେ ଅରୁଣ ନେହେରୁଙ୍କ ଅନୁଭବ ଅନୁକୂଳ ନଥିଲା । ସେଥିରେ ଅନେକ କିଛି ବିସ୍ଫୋରକର ଆଶଙ୍କା ଥିବା ନେହେରୁ ଅନୁଭବ କରିଥିଲେ । ସେଥିଲାଗି ସେ କିଛି ଅଭିଜ୍ଞ ତଥା ପ୍ରଫେସନାଲ ନିର୍ମାଣକାରୀଙ୍କଟାରୁ ବୃତ୍ତିଗତ ବା ପ୍ରଫେସନାଲ ସହାୟତା ନେବାକୁ ଚାହିଁଥିଲେ । ସମ୍ଭାବ୍ୟ କାର କାରଖାନା ପ୍ରତିଷ୍ଟା କରିବା ଲକ୍ଷ୍ୟରେ ଏକ ଟିମ୍ ବିଶ୍ୱର ବିଭିନ୍ନ କାର କମ୍ପାନୀଙ୍କ କାରଖାନା ପରିଦର୍ଶନ କରିଥିଲେ ।

 ଏହାପରେ ଘଟଣା ଗତିଶୀଳ ହୋଇଥିଲା । ଏକ ପାକ୍ଷିକ ପତ୍ରିକାରେ  ଓସାମୁ ସୁଜୁକିଙ୍କ ସହ ମାରୁତିର ସହବନ୍ଧନ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।  ହାମାଟସୁ ସୁଜୁକି ମୁଖ୍ୟାଳୟକୁ ଫେରିବା ପରେ ଓସାମୁ ନିଜ ଲୋକଙ୍କୁ ପଚାରିଥିଲେ ଯେ ସୁଜୁକି ମାରୁତି ଦୌଡରେ କାହିଁକି ସାମିଲ ନାହିଁ ? ଏହାପରେ ଘଟଣା ଆଗକୁ ବଢିଲା ଏବଂ ପରିସ୍ଥିତି କ୍ରମେ ସୁଜୁକି କମ୍ପାନୀ ମାରୁତିର ସହଯୋଗୀ ବା ପାର୍ଟନର ହୋଇଗଲା ।  ଦେଶର ଚାହିଦା ଅନୁଯାୟୀ ସୁଜୁକି ସୂକ୍ଷ୍ମ ଭାବରେ ଏକ କାର ନିର୍ମାଣ କରିଥିଲେ ଯାହାକି ଭାରତୀୟ ରାସ୍ତା ଏବଂ  ଅବସ୍ଥାକୁ ସୁହାଇବ | ବାକି ଯାହା ଆମେ ଜାଣିଛୁ ତାହା ଇତିହାସ ଯାହା ଆଜି ପର୍ଯ୍ୟନ୍ତ ଗୌରବମୟ ହୋଇ ରହିଛି | ମାରୁତି ସମ୍ପର୍କରେ ଯାହା ଆଶା ଓ ଅନୁମାନ କରାଯାଉଥିଲା, ତାହା ଏବେ ସମ୍ପୂର୍ଣ୍ଣ ବିପରୀତ |ତେବେ ମାରୁତି ସୁଜୁକି ଯେ ଭାରତୀୟ କାର ଓ ଭାରତର କାର ତାହା ଅନେକ ମନେକରନ୍ତି ।   

   Related Posts