ରେକର୍ଡ ସ୍ତରକୁ ପହଞ୍ଚିବା ପରେ ଖସିଲା ସେୟାର ବଜାର, ୧.୧୮ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

Published By : Prameya-News7 Bureau | July 10, 2024 IST

ମୁମ୍ବାଇ ୧୦।୭: ଭାରତୀୟ ସେୟାର ବଜାର ୧୦ ଜୁଲାଇ ବୁଧବାର ନୂଆ ରେକର୍ଡ ସ୍ତରକୁ ପହଞ୍ଚିବା ପରେ ଟଳମଳ ହୋଇ ଖସି ପଡିଛି। ସେନସେକ୍ସ ୪୨୬ ପଏଣ୍ଟ ହ୍ରାସରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୪୩୫୦ରୁ ତଳକୁ ଆସିଯାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୧.୧୮ ଲକ୍ଷ କୋଟି ଟଙ୍କା କ୍ଷତିରେ ପଡିଛନ୍ତି। ସେୟାର ବଜାରରେ ବୁଧବାର ସବୁଠୁ ବଡ଼ ହ୍ରାସ ଅଟୋ ଓ ମେଟାଲ ସେକ୍ଚରରେ ହୋଇଛି। ଏହା ଛଡା ଆଇଟି ଓ ବ୍ୟାଙ୍କିଙ୍ଗ ସେୟାର ଲାଭ ଅସୁଲ ଯୋଗୁ ଚାପରେ ରହିଛି। 

ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ମିଡ କ୍ୟାପ ଓ ସ୍ମଲ କ୍ୟାପ କ୍ରମଶଃ ୦.୧୯ ପ୍ରତିଶତ ଓ ୦.୬୯ ପ୍ରତିଶତ ହ୍ରାସରେ ବନ୍ଦ ହୋଇଛି। ବ୍ୟବସାୟ ଶେଷ ବେଳକୁ ବିଏସଇ ସେନସେକ୍ସ ୪୨୬.୮୭ ପଏଣ୍ଟ ବା ୦.୫୩ ପ୍ରତିଶତ ହ୍ରାସ ହୋଇ ୮୦,୩୫୧.୬୪ରେ ବନ୍ଦ ହୋଇଛି। ତେବେ ଦିନର କାରବାର କାଳରେ ସେନସେକ୍ସ ୮୦,୪୮୧.୩୬ ଅଙ୍କର ଶୀର୍ଷତମ ସ୍ତରକୁ ପହଞ୍ଚିଥିଲା। ଏଥିରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ସୂଚକାଙ୍କ ୧୦୮.୭୫ ପଏଣ୍ଟ ବା ୦.୪୫ ପ୍ରତିଶତ ହ୍ରାସ ସହ ୨୪,୩୨୪.୪୫ ସ୍ତରରେ ବନ୍ଦ ହୋଇଛି। 

ବିଏସଇ ଲିଷ୍ଟେଡ କମ୍ପାନୀଙ୍କ ମୋଟ ବଜାର ପୁଞ୍ଜିକରଣ ୧୦ ଜୁଲାଇ ବୁଧବାର ୪୫୦.୦୯ଲକ୍ଷ କୋଟିକୁ ଖସି ଆସିଛି। ତେବେ ପୂର୍ବ ବ୍ୟବସାୟୀକ ଅଧିବେସନରେ ଏହା ୪୫୧.୨୭ ଲକ୍ଷ କୋଟି ଟଙ୍କା ଥିଲା। ଫଳରେ ବିଏସଇ ଲିଷ୍ଟେଡ କମ୍ପାନୀଙ୍କ ବଜାର ପୁଞ୍ଜିକରଣ ୧.୧୮ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ବିଏସଇ ସେନସେକ୍ସ ୩୦ ସେୟାର ମଧ୍ୟରୁ ୯ଟି ସେୟାର ବୁଧବାର ବୃଦ୍ଧିର ସହ ବନ୍ଦ ହୋଇଛି। ଏଥିରେ ଏସିୟାନ ପେଣ୍ଟସ୍‌ ର ସେୟାର ସର୍ବାଧିକ ୩.୨୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.