ବଢିଲା ସଂକ୍ରମଣ ସତର୍କ ହେଲେ ରାଜ୍ୟ ସରକାର, ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 27, 2023 IST

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ସଂକ୍ରମଣ ବଢୁଥିବାରୁ ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛନ୍ତି ସ୍ଵାସ୍ଥ୍ୟ ବିଭାଗ। ତ୍ଵରିତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ମେଡିକାଲ୍ କଲେଜ୍ ଅଧୀକ୍ଷକ, ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୋମବାର ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

ରାଜ୍ୟର ୪ ମେଡିକାଲ୍ କଲେଜ କଟକ ଏସ୍‌ସିବି, ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲାର ଭିମ୍‌ସାର ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ  ୨୦ ବେଡ୍, ୨ ଆଇସିୟୁ ପ୍ରସ୍ତୁତ ରଖିବାକୁ  କୁହାଯାଇଛି। ସେହିପରି ଜିଲ୍ଲା ଏବଂ ସିଏଚସିରେ ୧୦ଟି ବେଡ୍ ଏବଂ ଆନୁସଙ୍ଗିକ ସ୍ଵାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅକ୍ସିଜେନ ସିଲିଣ୍ଡର ଏବଂ କନସେନଟ୍ରେଟର ବ୍ୟବସ୍ଥା କରାଯିବା ସହ ମେଡିକାଲ୍ କଲେଜ, ଜିଲ୍ଲା ଏବଂ ସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ପାଇଁ ସ୍ଵାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକ୍‌ଡ୍ରିଲ କରାଯିବ। ଏହି ସମୟରେ ଔଷଧ, ବେଡ, ଆଇସିୟୁ ବେଡ୍‌, ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କେମିତି ରହିଛି, ସେନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.