ଓପିଜିସିରୁ ହେବ ପୁଞ୍ଜି ପ୍ରତ୍ୟାହାର: ୪୯ % ଅଂଶଧନ ବିକ୍ରି ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର, ସାଧାରଣ ଲୋକଙ୍କ ନାପସନ୍ଦ
18/01/2023 at 6:53 PM

ଝାରସୁଗୁଡ଼ା ୧୮/୦୧: ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ରାଜ୍ୟ ସରକାର। ରାଜ୍ୟ ସରକାର ୪୯ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଆଗ୍ରହୀ ବିଡରଙ୍କୁ ଆମନ୍ତ୍ରଣ କରିବାକୁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଛନ୍ତି। ତାପଜ ବିଦ୍ୟୁତ କେନ୍ଦ୍ର ପରିଚାଳନାରେ ଅଭିଜ୍ଞ ତଥା ବୖଷୟିକ ଜ୍ଞାନ ଏବଂ ଆର୍ଥିକ ସୁଦୃଢ଼ ଯେକୌଣସି ସରକାରୀ କିମ୍ବା ଘରୋଇ ଅନୁଷ୍ଠାନକୁ ଏହାକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଫେବୃଆରୀ ୨୮ ସୁଦ୍ଧା ଆଗ୍ରହୀ ବିଡର ଆବେଦନ କରିପାରିବେ ବୋଲି ରାଜ୍ୟ ଶକ୍ତି ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ କୁହାଯାଇଛି। ଅନ୍ୟପଟେ ଓପିଜିସିରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ଓପିଜିସିର ବନହରପାଲିରେ ଥିବା ଇବ୍ ଥର୍ମାଲରୁ ୪୯ ପ୍ରତିଶତ ଅଂଶଧନକୁ ଘରୋଇ କମ୍ପାନୀକୁ ବିକିବାକୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନର ଦାନା ବାନ୍ଧିଛି। ଓପିଜିସି ରାଜ୍ୟର ଏକମାତ୍ର ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା। ୧୯୯୪ ଓ ୧୯୯୬ରେ ଓପିଜିସି ପକ୍ଷରୁ ୨ଟି ପାୱାର ପ୍ଲାଣ୍ଟ (୨ x ୨୧୦ ମେଗାୱାଟ)ରେ ୧,୧୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ୨୦୧୯ ମାର୍ଚ୍ଚ ୧ରେ ଓପିଜିସି ତୃତୀୟ ଓ ଚତୁର୍ଥ ୟୁନିଟ ଲୋକାର୍ପିତ ହୋଇଥିଲା।

୧୫ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ୨ଟି ୟୁନିଟରୁ ୧,୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା କଥା। ଓପିଜିସିର ତୃତୀୟ ଏବଂ ଚତୁର୍ଥ ୟୁନିଟ ଉଦଘାଟନ ହେବାର ୩ ବର୍ଷ ପୁରିଛି। କିନ୍ତୁ ପ୍ରକଳ୍ପ ନିର୍ମାଣ ବେଳେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁଇଟି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ସମ୍ପୂର୍ଣ୍ଣ ଭାବେ ଉତ୍ପାଦନକ୍ଷମ ହୋଇ ପାରିନି। ଏଥିରୁ ୬୬୦ ଲେଖାଏଁ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେବା କଥା କିନ୍ତୁ ୨ଟି ୟୁନିଟରୁ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ଉତ୍ପାଦନ ହେଉଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ଏଥିପାଇଁ ସରକାରଙ୍କ ଉପରେ ଋଣ ବୋଝ ମଧ୍ୟ ବଢ଼ିବାରେ ଲାଗିଛି। ଆରମ୍ଭରୁ ତୃତୀୟ ଓ ଚତୁର୍ଥ ୟୁନିଟ୍ରେ ତ୍ରୁଟି, ପାଉଁଶ ପରିଚାଳନାରେ ତ୍ରୁଟି, ଯାନ୍ତ୍ରିକ ତ୍ରୁଟି, ହପର ଭାଙ୍ଗି ଦୁର୍ଘଟଣା ହେବା, ଧାର୍ଯ୍ୟ ଲକ୍ଷ୍ୟରୁ କମ୍ ବିଦ୍ୟୁତ୍ ଉତ୍ପାଦନ ଇତ୍ୟାଦି ବିଷୟକୁ ନେଲେ ଏହି ୨ଟି ୟୁନିଟ୍ ତିଆରି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିବା ସହ ଓପିଜିସିରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛନ୍ତି। ସୂଚନାଥାଉକି, ୧୯୯୯ ମସିହାରେ ଓପିଜିସିର ୪୯ ପ୍ରତିଶତ ଅଂଶଧନ ଆମେରିକୀୟ ଏଇଏସ୍ କମ୍ପାନୀକୁ ରାଜ୍ୟ ସରକାର ବିକ୍ରି କରିଥିଲେ। ଏଇଏସ୍ କମ୍ପାନୀର ମନମାନି କେବଳ ଓଡ଼ିଶା ସ୍ୱାର୍ଥ ବିରୋଧି ହୋଇଥିଲା ତାହା ନୁହେଁ ବରଂ ଏହି ପ୍ରକଳ୍ପର ବିକାଶର ଗତିରୋଧ କରିଥିଲା। ବିଭିନ୍ନ ମହଲରୁ ଅଧିକ ଚାପ ପରେ ସମ୍ପୃକ୍ତ କମ୍ପାନୀ ୨ବର୍ଷ ତଳେ ଏହି ପ୍ରକଳ୍ପରୁ ଓହରିଯାଇଥିଲା।

ଫଳରେ ରାଜ୍ୟ ସରକାର ୧,୦୪୭ କୋଟି ଟଙ୍କା ଏଇଏସ୍ କମ୍ପାନୀକୁ ଦେଇ ପରିଚାଳନା ଭାର ନିଜ ହାତକୁ ନେଇଥିଲେ। ୨୦୨୧ ଓ ୨୦୨୨ ବିଗତ ୨ ବର୍ଷ ଧରି କମ୍ପାନୀର ୧୦୦ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ପାଖରେ ରହିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତ ୨ ବର୍ଷରେ ଭୁଲ ପରିଚାଳନା ପାଇଁ ୪୩୭ କୋଟି ଟଙ୍କା କ୍ଷତି ସହିଛି। କିନ୍ତୁ ୨୦୧୯ ପୂର୍ବରୁ ସରକାର କ୍ରମାଗତ ଲାଭ ପାଉଥିଲେ। ଏହି କାରଖାନା କିପରି ଲାଭଦାୟୀ ସଂସ୍ଥା ହୋଇ ପାରିବ ସେଥିପାଇଁ ଧ୍ୟାନ ନଦେବାରୁ ପୁଣି ଏକ ବଡ଼ ଧରଣର ଆନ୍ଦୋଳନ ହୋଇପାରେ ବୋଲି ସ୍ଥାନୀୟ ଲୋକେ ମତ ଦେବା ସହ ଏହା ବିଜୁ ବାବୁଙ୍କ ପରିକଳ୍ପନାର ପରିପନ୍ଥୀ ବୋଲି କହିଛନ୍ତି।