ଡାକି ଡାକି ମଧ୍ୟ ପ୍ରସୂତି କକ୍ଷ ଖୋଲିଲେନି କର୍ମଚାରୀ; ମେଡ଼ିକାଲ୍ ବାରଣ୍ଡାରେ ପ୍ରସବ କଲେ ମହିଳା
28/01/2023 at 6:15 PM

ଢ଼େଙ୍କାନାଳ ୨୮/୦୧: ଡାକ୍ତରଖାନାରେ ପହଞ୍ଚିଲେ ଗର୍ଭବତୀ ମହିଳା। ଡାକି ଡାକି ମଧ୍ୟ କେହି ଖୋଲିଲେନି ପସୂତି କକ୍ଷ। ଶେଷରେ ହତାସ ହୋଇ ଗର୍ଭବତୀ ମହିଳା ଡାକ୍ତରଖାନା ବାରଣ୍ଡାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ହ୍ୱିଲଚେୟାରରେ ଜନ୍ମଦେଲେ ସନ୍ତାନ। ଏପରି ଅଭାବନୀୟ ଘଟଣା ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ସୁରକ୍ଷିତ ପ୍ରସବ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହା ତଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ଖବର ଅନୁସାରେ, ଶୁକ୍ରବାର ରାତିରେ କଙ୍କଡାହାଡ଼ ଥାନା କୁସୁମୁଣ୍ଡିଆ ଗାଁର ଅନାମ ମୁଣ୍ଡାଙ୍କ ସ୍ତ୍ରୀଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ଅନାମ ତାଙ୍କୁ ଜନନୀ ଏକ୍ସପ୍ରେସରେ ଆଣି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ରାତି ୧୦ଟା ସମୟରେ ପହଞ୍ଚିଥିଲେ। ସେତେବେଳକୁ ମହିଳାଙ୍କର ରକ୍ତସ୍ରାବ ଆରମ୍ଭ ହୋଇଥିଲା। ତେଣୁ ମହିଳା ଜଣଙ୍କ ଚାଲିବାକୁ ମଧ୍ୟ ଅକ୍ଷମ ହୋଇଥିଲେ। ଫଳରେ ସେ ଡାକ୍ତରଖାନା ବାହାରେ ରହି ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ।

ଏହି ମହିଳାଙ୍କୁ ନେବାପାଇଁ ସେଠାରେ ହ୍ୱିଲ୍ଚେୟାର୍ ବି ନଥିଲା। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ସିକ୍ୟୁରିଟି ଗାର୍ଡ ହ୍ୱିଲ୍ଚେୟାର ଦେଇଥିଲେ। ପରେ ଗର୍ଭବତୀଙ୍କୁ ହ୍ୱିଲ୍ ଚେୟାର୍ରେ ପ୍ରସୂତି କକ୍ଷ ପର୍ଯ୍ୟନ୍ତ ନିଆଯାଇଥିଲା। ମାତ୍ର ସେଠାରେ ପ୍ରସୁତି କକ୍ଷ ଭିତରପଟୁ ବନ୍ଦ ଥିଲା। ଗର୍ଭ ଯନ୍ତ୍ରଣାରେ ମହିଳା ଛଟ ପଟ ହେବାବେଳେ ତାଙ୍କ ସମ୍ପର୍କୀୟ ପ୍ରସୁତିକକ୍ଷ କବାଟ ବାଡେଇ ବାଡେଇ ମଧ୍ୟ କିଛି ସୁଫଳ ମିଳିନଥିଲା।

ଫଳରେ ମହିଳା ଜଣକ ପ୍ରସୁତିକକ୍ଷ ଆଗ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁ କନ୍ୟା ଜନ୍ମଦେଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧି ପ୍ରତିବାଦ କରିବାରୁ ବହୁ ଡେରିରେ ଜଣେ ନର୍ସ ଆାସି ମହିଳା ଓ ନବଜାତ ଶିଶୁକୁ ପ୍ରସୁତି କକ୍ଷକୁ ନେଇ ଥିଲେ। ଅନ୍ୟପଟେ, ଏପରି ଏକ ଅଭାବନୀୟ ଘଟଣା କାମାକ୍ଷାନଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଛୁଟିରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।