ନୂଆଦିଲ୍ଲୀ: ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଥିବା ଅଭିଯାନ ଶୁକ୍ରବାର କିଛି ସମୟ ପାଇଁ ବନ୍ଦ ରଖାଯାଇଛି। କାରଣ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେଉଥିବା ଡ୍ରିଲିଂ ମେସିନ୍ ଉପରେ ମାଟି ପଡ଼ିବାରୁ ତାହା ବନ୍ଦ ହୋଇଛି। ସୁଡ଼ଙ୍ଗରେ ପଞ୍ଚମ ଟ୍ୟୁବ୍ ଲଗାଇବା ସମୟରେ ମେସିନ୍ ଉପରେ ମାଟି ଭୁଶୁଡ଼ି ପଡ଼ିଥିଲା। ଏହା ପରେ ଉଦ୍ଧାରକାର୍ଯ୍ୟ ପ୍ରାୟ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି ।
ସେହିଭଳି କୁହାଯାଉଛି ଯେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଆମେରିକାରୁ ଆସିଥିବା ମେସିନ୍ରେ ମଧ୍ୟ ତ୍ରୁଟି ଦେଖାଦେଇଛି। ଫଳରେ ମେସିନ୍ ଆଗକୁ ବଢ଼ିପାରୁନାହିଁ। ଏମିତିରେ ଏବେ ଆଙ୍କର ମେସିନ୍ ଲଗାଇ ମେସିନକୁ ପ୍ଲାଟଫର୍ମକୁ ଲଗାଯାଉଛି। କୁହାଯାଉଛି ଏପର୍ଯ୍ୟନ୍ତ କେବଳ ୨୪ ମିଟର ପର୍ଯ୍ୟନ୍ତ ଡ୍ରିଲ କରାଯାଇ ପାଇପ ଲଗାଯାଇପାରିଛି। ସେପଟେ ଇନ୍ଦୋରରୁ ଅତ୍ୟାଧୁନିକ ମେସିନ ମଗାଯାଇଛି।
ଆହୁରି ପଢ଼ନ୍ତୁ: ବିତିଲାଣି ୧୨୦ ଘଣ୍ଟା, ପାଇପ୍ ସାହାରାରେ ୪୦ ଶ୍ରମିକ, ଲାଗିପାରେ ଆହୁରି ୨ରୁ ୩ ଦିନ
ସୂଚନାଥାଉକି, ଶ୍ରମିକମାନେ ସୁଡ଼ଙ୍ଗର ପ୍ରବେଶ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ରହିଛନ୍ତି। ପୁଣି ଶ୍ରମିକଙ୍କ ଠାରୁ ମାତ୍ର ୫୦ ମିଟରରୁ ଅଧିକ ମାଟି ଅତଡ଼ା ପଡ଼ିରହିଛି। ସେହି ସ୍ଥାନ ଦୁର୍ବଳ ଥିବାରୁ ଟନେଲ ଖୋଳିବା ସମୟରେ ଆହୁରି ମାଟି ଅତଡ଼ା ଖସୁଛି। ଆଉ ଏହା ଭିତରେ ୮୦୦ରୁ ୯୦୦ ମିଲିମିଟର ଚଉଡାର ଷ୍ଟିଲ୍ ପାଇପ ଲଗାଯାଉଛି । ଆଉ ଏହି ପାଇପ୍ ଦ୍ବାରା ଶ୍ରମିକଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଅଧିକାରୀମାନେ ଲଗାତାର ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଧର୍ଯ୍ୟ ରଖିବାକୁ କହୁଛନ୍ତି। ସେମାନଙ୍କୁ ଖାଦ୍ୟ ଏବଂ ଔଷଧ ଯୋଗାଇଦିଆଯାଉଛି।