ଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ସ୍ଥାନ, ହେଲେ ବିସିଆଇ ରଖିଲା ଏହି ସର୍ତ୍ତ, ଟେଷ୍ଟ ଖେଳିବାକୁ ହେଲେ…
14/01/2023 at 11:04 PM

ନୂଆଦିଲ୍ଲୀ: ଆହତ କାରଣରୁ ଭାରତୀୟ କ୍ରିକେଟ୍ ଦଳରୁ ବାହାରେ ଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଚୟନକର୍ତ୍ତା ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଶୃଙ୍ଖଳା ପାଇଁ ଶୁକ୍ରବାର ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ସହିତ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳା ଖେଳିବ। ଟେଷ୍ଟ ଦଳକୁ ଜାଡେଜା ଫେରିଥିଲେ ହେଁ ବିସିସିଆଇ ତାଙ୍କ ସାମ୍ନାରେ ମ୍ୟାଚ୍ ପୂର୍ବରୁ ଗୋଟିଏ ସର୍ତ୍ତ ରଖିଛି।
ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗତ ପାଞ୍ଚ ମାସ ହେବ ପଡିଆରୁ ବାହାରେ ଅଛନ୍ତି। ଏସିଆ କପ୍ରେ ଆହତ ହେବା ପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ସଂପୂର୍ଣ୍ଣ ଫିଟ୍ ନଥିବା ଯୋଗୁଁ ଦଳରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ବାଂଲାଦେଶ ଗସ୍ତରୁ ବାଦ୍ ପଡିବା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଛି। ତେବେ ଫିଟନେସ୍ରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ତାଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ବୋଲି ଚୟନକର୍ତ୍ତା ସର୍ତ୍ତ ରଖିଛନ୍ତି।
ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ନାଗପୁର ଟେଷ୍ଟ ପୂର୍ବରୁ ଜାଡେଜାଙ୍କୁ ଅତି କମ୍ରେ ଗୋଟିଏ ଘରୋଇ ମ୍ୟାଚ୍ ଖେଳିବାକୁ କୁହାଯାଇଛି। ମ୍ୟାଚ୍ରେ ଫିଟ୍ ହେବା ପରେ ହିଁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ।
ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ଅକ୍ଷର ପଟେଲ୍, କୁଦଲୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ।