ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଖୁସି ବ୍ୟକ୍ତ କରିଛନ୍ତି ପୁରୀର ସେବାୟତ ସମାଜ ଓ ବୁଦ୍ଧିଜୀବୀ। ଏହି ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ରାଜନୈତିକ କାରଣରୁ ବିରୋଧ କରାଯାଉଥିଲା। ପ୍ରକଳ୍ପକୁ ବନ୍ଦ କରିବା ପାଇଁ ବିଭିନ୍ନ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୁଇ ଜଣ ଆବେଦନକାରୀ। କିନ୍ତୁ ସୁପ୍ରିମକୋର୍ଟର ରାୟ ପରେ ଆବେଦନକାରୀ ଏବଂ ବିରୋଧୀଙ୍କୁ ଶକ୍ତ ଆଘାତ ଲାଗିଛି। ଏପରିକି ଏନେଇ ମାମଲା କରିଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଜରିମାନାରେ ଦଣ୍ଡିତ କରିଛନ୍ତି। ଏହା ମହାପ୍ରଭୁଙ୍କ ବିଜୟ ବୋଲି ସେବାୟତ ମାନେ ମତବ୍ୟକ୍ତ କରିଛନ୍ତି। ଆଗକୁ ବର୍ଷା ଦିନ ଓ ରଥଯାତ୍ରା ଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସେବାୟତ ମାନେ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଏବଂ ଏହାର ଆଖପାଖରେ ଜାରି ଖନନ ଏବଂ ନିର୍ମାଣ ପ୍ରକଳ୍ପକୁ ବିରୋଧ କରି ଦୁଇ ଜଣ ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଯାଚିକା ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି।
ନିଜର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଜିକାଲି ଜନସ୍ୱାର୍ଥ ମାମଲା ସଂଖ୍ୟା ବଢିବାରେ ଲାଗିଛି । ଅନେକ ଆବେଦନ ନିଜସ୍ୱ ପ୍ରଚାର ପାଇଁ କରାଯାଉଛି । ଏପରି ପିଆଇଏଲ ଆବେଦନକୁ ନିନ୍ଦା କରିଛନ୍ତି କୋର୍ଟ। ଏହା କେବଳ ସମୟ ବରବାଦ ବୋଲି କୋର୍ଟ କହିଛନ୍ତି । କୋର୍ଟ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି ତାହା ଜନହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଭକ୍ତଙ୍କୁ ଅନେକ ସୁବିଧା ମିଳିବ। କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ଯଦି ଶୌଚାଳୟ ନିର୍ମାଣ କରାଯାଉଥାନ୍ତା ତେବେ ତାକୁ ରୋକା ଯାଇ ପାରିବ। ମାତ୍ର ହଜାର ହଜାର ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ ପ୍ରକଳ୍ପକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।