ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି ବିରୋଧରେ ଗର୍ଜିଲା ଟିଏମସି, ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ

Published By : Prameya-News7 Bureau | November 16, 2021 IST

କୋଲକାତା ୧୬।୧୧: ପଶ୍ଚିମବଙ୍ଗରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରାଯିବା କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଗଲାଣି। ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବିରୋଧରେ ଗର୍ଜନ କରିଛି ଟିଏମସି। ଏହି କ୍ରମରେ ମଙ୍ଗଳବାର ମମତା ବାନାର୍ଜୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହା ପୂର୍ବରୁ ଏହି ସମ୍ବନ୍ଧରେ ସେ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ଲେଖି ସାରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାରେ ମଙ୍ଗଳବାର ବିଏସଏଫର ଅଧିକାର କ୍ଷେତ୍ର ବିସ୍ତାର ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଉପରେ ଗୃହରେ ଆଲୋଚନା ସମୟର ଟିଏମସି ବିଧାୟକ ଉଦୟନ ଗୁହା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମହିଳା ସୀମା ପାରି କରିବା ସମୟରେ ତଲାସି ନାମରେ ବିଏସଏଫ ଯବାନ ସେମାନଙ୍କୁ ହୀନ ଉଦ୍ଦେଶ୍ୟରେ ଛୁଇଁଥାନ୍ତି। ସେମାନେ ଭାରତ ମାତା କି ଜୟ ଯେତେ କହିଲେ ମଧ୍ୟ ସେମାନେ ଦେଶଭକ୍ତ ହୋଇ ପାରିବେ ନାହିଁ ବୋଲି ଟିଏମସି ବିଧାୟକ କହିଛନ୍ତି। ଆଲୋଚନା ପରେ ଗୃହରେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି ବିରୋଧରେ ପ୍ରସ୍ତାବ ପାରିତ ହାେଇଛି।

ଅନ୍ୟପଟେ ବିଏସଏଫର ଜଣେ ଅଧିକାରୀ କହିଛନ୍ତି, ବିଏସଏଫ ଏକ ପେଶାଦାର ବଳ। ଏହାର ଯବାନ ସର୍ବଦା ନିୟମ ଏବଂ ଆଇନ ପାଳନ କରିଥାଏ। ବିଏସଏଫରେ ରହିଥିବା ମହିଳା ଯବାନ  ହିଁ ମହିଳାଙ୍କ ତଲାସି ନେଇଥାନ୍ତି। ବିଏସଏଫ ଯବାନଙ୍କ ଦ୍ଵାରା ମହିଳାଙ୍କୁ ଭୁଲ୍ ଉଦ୍ଦେଶ୍ୟରେ ଛୁଇଁବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଭିତ୍ତିହୀନ ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.