ପୁରା ଅବ୍ୟବସ୍ଥାରେ ଚାଲିଛି ସ୍କୁଲ୍‌; ୫ଟି ଶ୍ରେଣୀ ପାଇଁ ୨ ଶିକ୍ଷକ, ତଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ  

Published By : Prameya-News7 Bureau | September 07, 2022 IST

ପାରାଦୀପ ୦୭/୦୯: ଅବ୍ୟବସ୍ଥା ଘେରରେ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ପିଲାମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫାଇବ୍‌-ଟି ଯୋଜନାରେ ଏବେ ହାଇସ୍କୁଲଗୁଡ଼ିକୁ ରୂପାନ୍ତରିକରଣ କାର୍ଯ୍ୟହେଉଛି। ଅନ୍ୟପଟେ ପ୍ରାଥମିକ ସ୍କୁଲର ପିଲାମାନଙ୍କ ପାଇଁ ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ଶିକ୍ଷାଦାନ ପାଇଁ ବାଧକ ସାଜିଛି। କଟକ ଜିଲ୍ଲା ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତ ସିଂହମାପୁର ପ୍ରାଥମିକ ବିଦ୍ୟାଳୟରେ ଏପରି ଦୁର୍ଦ୍ଦଶା ଦେଖିବାକୁ ମିଳିଛି।

୫ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀ ଗୃହରେ ବସି ପଢ଼ୁଛନ୍ତି। ୫ଟି ଶ୍ରେଣୀର ପିଲା ମାତ୍ର ୨ଜଣ ଶିକ୍ଷକରେ ଚାଲିଛି ପାଠପଢ଼ା। ଗୋଟିଏ ଶ୍ରେଣୀ ଗୃହ ଭିତରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ, ଗ୍ୟାସଟାଙ୍କି, ଦରି ପାଲଠୁ  ଆରମ୍ଭକରି ସମସ୍ତ ସ୍କୁଲର ଆସବାବପତ୍ରରେ ଥିବା ବେଳେ ପିଲାମାନେ ତଳେ ବସି ପାଠ ପଢ଼ୁଛନ୍ତି।ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ସ୍କୁଲର ନିଜ ଜମି ଥିଲେ ମଧ୍ୟ ୫ଟି ଶ୍ରେଣୀର ପିଲାମାନେ ଗୋଟିଏ ଶ୍ରେଣୀଗୃହରେ ପଢୁଛନ୍ତି।

ବହୁ ବର୍ଷ ହେବ ଏହି ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲୁଛି। ସ୍କୁଲର ଅବିଭାବକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ସମାଧାନ ବାହାରି ପାରୁନାହିଁ। ଶିକ୍ଷା ବିଭାଗରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଅଣ ଦେଖା କରୁଛନ୍ତି। ପାଠପଢ଼ା ପାଇଁ ସ୍କୁଲକୁ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଶିକ୍ଷାବିଭାଗକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି। ପ୍ରଶାସନ ତୁରନ୍ତ ପିଲାଙ୍କ ପାଇଁ ସ୍କୁଲ୍‌ ତିଆରି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.