ଫର୍ମରେ ଧର୍ମ ଏବଂ ଜାତି ନ ଲେଖିବାରୁ ସ୍କୁଲରେ ହେଲା ନାହିଁ ଛାତ୍ରଙ୍କ ଆଡମିସନ୍ : ସୃଷ୍ଟି ହେଲା ହଇଚଇ
23/02/2020 at 12:05 PM

ତିରୁଅନନ୍ତପୁରମ୍ ୨୩/୨: ଧର୍ମ ଏବଂ ଜାତି ନ ଲେଖିବା ଯୋଗୁଁ ଏକ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ୍ ଜଣେ ଛାତ୍ରଙ୍କୁ ଆଡମିସନ କରିବାକୁ ମନା କରି ଦେଇଛି। ଶିକ୍ଷା ମନ୍ତ୍ରୀଙ୍କ ନିର୍ଦେଶରେ ଶିକ୍ଷା ବିଭାଗ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ଛାତ୍ରଙ୍କ ଅଭିଭାବକ ନଜୀମ ଏବଂ ଧନୟାଙ୍କ କହିବା ଅନୁସାରେ ସେମାନେ ପୁଅର ଜନ୍ମରେ ଧର୍ମର ବାଧାବନ୍ଧନ ଚାହୁଁନଥିଲେ ସେଥିପାଇଁ ସ୍କୁଲର ଫର୍ମରେ ଏହା ବିଷୟରେ ଲେଖିନଥିଲେ।
ନଜୀମ ଏବଂ ଧନୟା ପୁଅକୁ ସେଣ୍ଟ ମେରୀ ହାୟର ସେକେଣ୍ଡାରୀ ସ୍କୁଲରେ ଆଡମିସନ୍ କରିବା ପାଇଁ ଫର୍ମ ପୂରଣ କରିଥିଲେ। ସେମାନେ ଧର୍ମ ଏବଂ ଜାତିର ସ୍ଥାନ ଖାଲି ଛାଡ଼ି ଦେଇଥିଲେ। ଫେବୃୟାରୀ ୧୯ତାରିଖରେ ସେ ସ୍କୁଲ୍ ପହଞ୍ଚିବାରୁ ସ୍କୁଲ୍ ପରିଚାଳନା ବ୍ୟବସ୍ଥା ତାଙ୍କୁ ଏହା ବିଷୟରେ ପଚାରିଥିଲେ। ସେ ସବୁ କଥା କହିବାରୁ ସ୍କୁଲରେ ଆଡମିସନ୍ ଦେବାକୁ ମନା କରି ଦେଇଥିଲେ।
ଏହି ମାମଲାରେ ସ୍କୁଲ୍ ପରିଚାଳନା କମିଟି କହିଥିଲେ ଯେ ଅଯଥା ବିବାଦ ସୃଷ୍ଟି କରାଯାଉଛି। ସରକାରଙ୍କ ଦ୍ବାରା ଧର୍ମ ଆଧାରରେ ଅନେକ ସୁବିଧା ଯୋଗାଇ ଦିଆଯାଇଥାଏ। ଏଥିପାଇଁ ସ୍କୁଲରେ ଆଡମିସନ ସମୟରେ ଧର୍ମ ଏବଂ ଜାତି ବିଷୟରେ ପଚରାଯାଇଥାଏ। ସେମାନେ ଅଭିଭାବକଙ୍କଠୁ ଆଫିଡାଭିଟ୍ ମାଗିବାରୁ କିନ୍ତୁ ସେମାନେ ଏଥିରେ ରାଜି ହୋଇନଥିଲେ।