ସୋଆ ମୁନ୍‌ର ପଞ୍ଚମ ସଂସ୍କରଣ ଉଦଘାଟିତ; ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଓ ନିଶା କାରବାର ପ୍ରସଙ୍ଗରେ ହେବ ଆଲୋଚନା

Published By : Prameya-News7 Bureau | September 02, 2022 IST

ଭୁବନେଶ୍ୱର ୦୨/୦୯: ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ସୋଆ ଇଣ୍ଟରନ୍ୟାସନାଲ ମଡେଲ୍ ୟୁନାଇଟେଡ୍ ନେସନ୍ସ (ସୋଆମୁନ୍‌)ରେ ୟୁକ୍ରେନ୍ ସମସ୍ୟା, ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଆଲୋଚନା କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍‌ରେ ସୋଆ ମୁନ୍‌ର ପଞ୍ଚମ ସଂସ୍କରଣ ଉଦଘାଟିତ ହୋଇଛି ।

ସୋଆ ପକ୍ଷରୁ ପଞ୍ଚମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୫୦୦ ରୁ  ଅଧିକ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ଏକ କ୍ଷୁଦ୍ର ଅନୁକରଣ ମାଧ୍ୟମରେ ଜାତିସଂଘର ମହତ୍ୱକୁ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ସେହିପରି କୁଟନୀତି, ଆନ୍ତର୍ଜାତିକ ସମ୍ପର୍କ ଓ ଜାତିସଂଘ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଯେଭଳି ଅଧିକ ଜ୍ଞାନ ଆହରଣ କରିପାରିବେ ତାହା ହିଁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ଡାକ୍ତରୀ ଏବଂ ବୈଜ୍ଞାନିକ ବ୍ୟବହାର ସହିତ ଏହାର ଅପବ୍ୟବହାରକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ ଯେଉଁ ଅନ୍ତରାଷ୍ଟ୍ରୀୟ ଚୁକ୍ତି ରହିଛି। ସାମାଜିକ ଜୀବନରେ ମହିଳାଙ୍କର ଯୋଗଦାନ, ଲିଙ୍ଗ ଆଧାରିତ ହିଂସା ଏବଂ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ଉଦ୍ଭବ ହୋଇଥିବା ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିକୁ ଏଡ଼ାଇବା ଭଳି ପ୍ରସଙ୍ଗ ସମ୍ପର୍କରେ ଏହି ମୁନ୍‌ରେ ଆଲୋଚନା କରାଯିବ ବୋଲି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି। ସେହିପରି ୟୁକ୍ରେନ୍‌ରେ କିଭଳି ଶାନ୍ତି ଫେରିବ ସେନେଇ ଛାତ୍ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବେ।

ଚଳିତ ବର୍ଷ ସୋଆ ମୁନ୍‌ରେ ୫ଟି କମିଟି ଗଠନ କରାଯାଇଛି। ୟୁଏନ୍ ଜେନେରାଲ୍ ଆସେମ୍ବଲି ଡିସ୍‌ଆର୍ମାମେଣ୍ଟ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ସିକ୍ୟୁରିଟି କମିଟି (ୟୁଏନ୍‌ଜିଏ-ଡ଼ିଆଇଏସ୍‌ଇସି), ୱାର୍ଲ୍ଡ ହେଲ୍‌ଥ ଆସେମ୍ବଲି (ଡବ୍ଲୁଏଚ୍‌ଏ), ୟୁଏନ୍ କମିଶନ୍ ଅନ୍ ଦ ଷ୍ଟାଟ୍‌ସ୍ ଅଫ୍ ଓମେନ୍ (ୟୁଏନ୍‌ସିଏସ୍‌ଡବ୍ଲୁ), ୟୁଏନ୍ ଅଫିସ୍ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ୍ (ୟୁଏନ୍‌ଓଡିସି) ଏବଂ ଇଣ୍ଟରନ୍ୟାସ୍‌ନାଲ୍ ପ୍ରେସ୍ (ଆଇପି) ଇତ୍ୟାଦି ଏହି ପାଞ୍ଚଟି କମିଟି ସାମିଲ ରହିଛି।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଶ୍ୱର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ବିତର୍କ କରିବା ଭବିଷ୍ୟତ ପାଇଁ ଖୁବ୍ ଲାଭଦାୟକ ବୋଲି ସେ କହିଥିଲେ।

ବର୍ତ୍ତମାନ ବିଶ୍ୱ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ଼ ସମସ୍ୟା ବୋଲି ସେ କହିଥିଲେ। ତେଣୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବା ଏବଂ ବିଶ୍ୱରେ କିଭଳି ଶାନ୍ତି ବଳବତ୍ତର ରହିବ ତାହା ହିଁ ପ୍ରମୁଖ କାମ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବିଶ୍ୱର ପରିସ୍ଥିତ ସମ୍ପର୍କରେ ସମସ୍ତେ ଜାଣିବେ ଏବଂ ସଚେତନ ହୋଇପାରିବେ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ।

ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ସୋଆ ମୁନ୍‌ର କନ୍‌ଭେନର୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କୋ-କନ୍‌ଭେନର ଡକ୍ଟର ସୌର୍ଯ୍ୟ ରଞ୍ଜନ ଦାସ, ସେକ୍ରେଟାରୀ ଜେନେରାଲ ଶ୍ରୀ ଶାଶ୍ୱତ ମହାପାତ୍ର ଏବଂ ଡାଇରେକ୍ଟର ଜେନେରାଲ୍ ଶ୍ରୀ ଉମାଶଙ୍କର ବିଶ୍ୱାଳ ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.